କ୍ରୀଡ଼ା ବିକାଶରେ ଓଡ଼ିଶା-ବିହାର ସହଯୋଗ: ଖେଳାଳି ବିନିମୟ ଓ ଭିତ୍ତିଭୂମି ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୦୩/୦୮: କ୍ରୀଡ଼ା କ୍ଷେତ୍ରରେ ପରସ୍ପର ସହଯୋଗକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଓ ବିହାର ସରକାର ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି। ବିହାରର କ୍ରୀଡ଼ା ଓ ଉଦ୍ୟୋଗ ମନ୍ତ୍ରୀ ତଥା ଅନ୍ତର୍ଜାତୀୟ ବନ୍ଧୁକଚାଳିକା ଶ୍ରେୟସୀ ସିଂହଙ୍କ ଚାରିଦିନିଆ ଓଡ଼ିଶା ଗସ୍ତର ଶେଷ ଦିନରେ ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ ବିସ୍ତୃତ ବୈଠକ ହୋଇଥିଲା।
ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଖେଳାଳି ବିନିମୟ, ବନ୍ଧୁତ୍ୱପୂର୍ଣ୍ଣ କ୍ରୀଡ଼ା ପ୍ରତିଯୋଗିତା, କ୍ରୀଡ଼ା ବିଜ୍ଞାନର ବ୍ୟବହାର ଏବଂ ତୃଣମୂଳ ସ୍ତରରୁ ନୂତନ ପ୍ରତିଭା ଚିହ୍ନଟ ଓ ବିକାଶ ଉପରେ ବିଶେଷ ଆଲୋଚନା କରାଯାଇଥିଲା। ବୈଠକରେ ବିଭାଗୀୟ ସଚିବ ଭୂପେନ୍ଦ୍ର ସିଂହ ପୁନିଆ ମଧ୍ୟ ଉପସ୍ଥିତ ଥିଲେ।
ଓଡ଼ିଶାର ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ହାଇ-ପରଫର୍ମାନ୍ସ ସେଣ୍ଟରଗୁଡ଼ିକର ପ୍ରଶଂସା କରି ଶ୍ରେୟସୀ ସିଂହ କହିଥିଲେ, ବିହାରରେ ମଧ୍ୟ କ୍ରୀଡ଼ା ଭିତ୍ତିଭୂମିର ଦ୍ରୁତ ବିକାଶ ଚାଲିଛି। ଉଭୟ ରାଜ୍ୟ ମଧ୍ୟରେ ଖେଳାଳି ବିନିମୟ ଓ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଆୟୋଜନ ହେଲେ ଯୁବ ପ୍ରତିଭାଙ୍କୁ ନୂଆ ସୁଯୋଗ ମିଳିବ ବୋଲି ସେ ମତ ପ୍ରକାଶ କରିଥିଲେ।
ଓଡ଼ିଶାର କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ, ‘ସିଏମ୍ ଟ୍ରଫି’ ଭଳି ପ୍ରତିଯୋଗିତା ମାଧ୍ୟମରେ ଗ୍ରାମାଞ୍ଚଳରୁ ନୂଆ ଖେଳାଳି ସୃଷ୍ଟି କରାଯାଉଛି। ବିଦ୍ୟାଳୟ, କ୍ରୀଡ଼ା ଅନୁଷ୍ଠାନ ଓ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ବଢ଼ିଲେ ରାଜ୍ୟରେ କ୍ରୀଡ଼ାର ଆହୁରି ବିକାଶ ସମ୍ଭବ ବୋଲି ସେ କହିଥିଲେ।
ବୈଠକରେ କ୍ରୀଡ଼ା ବିଜ୍ଞାନ, ଆଧୁନିକ କୋଚିଂ, ଖେଳାଳିଙ୍କ ପୁଷ୍ଟିକର ଖାଦ୍ୟ, ଆଘାତ ପରିଚାଳନା ଓ ଫିଟ୍ନେସ୍ ସଚେତନତା ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାରଙ୍କ ‘ଖେଲୋ ଇଣ୍ଡିଆ’ ଯୋଜନାକୁ ଆହୁରି ବ୍ୟାପକ କରିବା ନେଇ ମଧ୍ୟ ମତ ବିନିମୟ ହୋଇଥିଲା।
ଗସ୍ତ ଶେଷରେ ଶ୍ରେୟସୀ ସିଂହ ଓଡ଼ିଶା ସରକାରଙ୍କ ଆତିଥ୍ୟର ପ୍ରଶଂସା କରିବା ସହ ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଏବଂ ଭୁବନେଶ୍ୱରର ସ୍ୱଚ୍ଛ ଓ ସବୁଜ ପରିବେଶ ତାଙ୍କୁ ବେଶ୍ ପ୍ରଭାବିତ କରିଥିବା କହିଛନ୍ତି। ସେ କହିଛନ୍ତି, ଓଡ଼ିଶାର କ୍ରୀଡ଼ା ମଡେଲ୍ ଦେଶର ଅନ୍ୟ ରାଜ୍ୟମାନଙ୍କ ପାଇଁ ଏକ ଉଦାହରଣ।



