ବନ୍ୟା ପରେ କ୍ଷୟକ୍ଷତି ଆକଳନ ଆରମ୍ଭ: ୨୨ ଜିଲ୍ଲାରେ ୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ
ଭୁବନେଶ୍ୱର, ୦୩/୦୮: ରାଜ୍ୟରେ ଚଳିତ ବନ୍ୟା ପରିସ୍ଥିତିରେ ୨୨ଟି ଜିଲ୍ଲାର ୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଆକଳନ କରାଯାଇଛି। ବିଶେଷକରି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବାବେଳେ ପୁରୀ, ଜଗତସିଂହପୁର, ଖୋର୍ଦ୍ଧା ଓ କଟକର କିଛି ଅଞ୍ଚଳ ମଧ୍ୟ ବନ୍ୟାର ପ୍ରଭାବ ଭୋଗିଛି।

ପ୍ରଭାବିତ ପରିବାରଗୁଡ଼ିକୁ ଶୀଘ୍ର ସହାୟତା ଓ କ୍ଷତିପୂରଣ ପ୍ରଦାନ କରିବା ଲକ୍ଷ୍ୟରେ ଆଜିଠାରୁ କ୍ଷୟକ୍ଷତି ଆକଳନ କାର୍ଯ୍ୟ ଆରମ୍ଭ ହୋଇଛି। ରାଜସ୍ୱ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ପାଣି ହ୍ରାସ ପାଇବାର ୭୨ ଘଣ୍ଟା ମଧ୍ୟରେ ସର୍ଭେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ପାଣି ଛାଡ଼ୁଥିବା ଅଞ୍ଚଳଗୁଡ଼ିକରେ ଆର୍ଆଇ ଓ ଅନ୍ୟ ଅଧିକାରୀମାନେ ଗାଁ ଗାଁ ବୁଲି ଭାଙ୍ଗିଥିବା ଘର, ଫସଲ, ପନିପରିବା ଓ ଅନ୍ୟାନ୍ୟ ସମ୍ପତ୍ତିର କ୍ଷୟକ୍ଷତିର ତାଲିକା ପ୍ରସ୍ତୁତ କରିବେ। ଜିଲ୍ଲାପାଳମାନଙ୍କୁ ମଧ୍ୟ ଫସଲହାନିର ସଠିକ୍ ଆକଳନ କରିବାକୁ କୁହାଯାଇଛି।
ଏହାସହ ବନ୍ୟା ପରବର୍ତ୍ତୀ ପରିସ୍ଥିତି ସ୍ୱାଭାବିକ କରିବା ପାଇଁ ପାନୀୟ ଜଳ ଉତ୍ସଗୁଡ଼ିକର ବିଶୋଧନ, ଭାଙ୍ଗିଥିବା ବନ୍ଧ ଓ ଘଳିଆର ମରାମତି, କ୍ଷତିଗ୍ରସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରର ପୁନରୁଦ୍ଧାର, ଧୋଇଯାଇଥିବା ରାସ୍ତାର ମରାମତି ଏବଂ ବିଦ୍ୟୁତ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
ସରକାର କହିଛନ୍ତି, କ୍ଷୟକ୍ଷତି ଆକଳନ ସମ୍ପୂର୍ଣ୍ଣ ହେବା ପରେ ପ୍ରଭାବିତ ପରିବାରମାନଙ୍କୁ ନିୟମାନୁଯାୟୀ ତୁରନ୍ତ କ୍ଷତିପୂରଣ ଓ ପୁନର୍ବାସ ସହାୟତା ପ୍ରଦାନ କରାଯିବ।




