ପାତ୍ରପଡାରେ ଭୟଙ୍କର ଅଗ୍ନିକାଣ୍ଡ; ସୂତା କାରଖାନା ଜଳି ଛାରଖାର, ଲକ୍ଷାଧିକ ଟଙ୍କାର କ୍ଷତି
ଭୁବନେଶ୍ୱର, ୩ ଅଗଷ୍ଟ: ରାଜଧାନୀ ଭୁବନେଶ୍ୱରର ପାତ୍ରପଡା ଅଞ୍ଚଳରେ ସୋମବାର ଏକ ସୂତା ଓ ତୁଳା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଛି। ନିଆଁରେ କାରଖାନାରେ ଥିବା ସୂତା, ତୁଳା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜଳିଯାଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।
ଅଗ୍ନିକାଣ୍ଡର ଖବର ପାଇ ତୁରନ୍ତ ତମାଣ୍ଡୋ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଗ୍ନି ନିର୍ବାପନ କାର୍ଯ୍ୟ ଆରମ୍ଭ କରିଥିଲା। ପରିସ୍ଥିତିର ଗୁରୁତ୍ୱକୁ ଦେଖି ଜଟଣୀ ଅଗ୍ନିଶମ ବାହିନୀ, ଷ୍ଟ୍ରାଇକିଂ ଫାୟାର ଫୋର୍ସ ଏବଂ କେନ୍ଦ୍ରୀୟ ରେଞ୍ଜର ଟିମ୍ମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା।
ଅଗ୍ନି ନିୟନ୍ତ୍ରଣ ପାଇଁ ଆଧୁନିକ ରୋବୋଟିକ୍ ମନିଟରର ସହାୟତା ନିଆଯାଇଥିବାବେଳେ ଏକାଧିକ ଅଗ୍ନିଶମ ଟିମ୍ ଦୀର୍ଘ ସମୟ ଧରି ଉଦ୍ୟମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ।
ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଘଟଣାର ତଦନ୍ତ ଆରମ୍ଭ ହୋଇଥିବାବେଳେ କ୍ଷୟକ୍ଷତିର ସଠିକ୍ ଆକଳନ କରାଯାଉଛି।



