ଇଣ୍ଡୋନେସିଆରେ ସମୁଦ୍ର ମଝିରେ ଫେରୀରେ ଭୟଙ୍କର ଅଗ୍ନିକାଣ୍ଡ; ୫ ମୃତ, ୪୧ ନିଖୋଜ
ନୂଆଦିଲ୍ଲୀ/ଜାକର୍ତ୍ତା, ୩ ଅଗଷ୍ଟ: ଇଣ୍ଡୋନେସିଆର ମାଦୁରା ଦ୍ୱୀପ ନିକଟ ସମୁଦ୍ରରେ ଏକ ଯାତ୍ରୀବାହୀ ଫେରୀରେ ଭୟାବହ ଅଗ୍ନିକାଣ୍ଡ ଘଟି ବଡ଼ ଧରଣର ଦୁର୍ଘଟଣା ସୃଷ୍ଟି ହୋଇଛି। ଏହି ଅଘଟଣରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୧ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ସେମାନଙ୍କ ସନ୍ଧାନ ପାଇଁ ସମୁଦ୍ରରେ ବ୍ୟାପକ ଉଦ୍ଧାର ଅଭିଯାନ ଜାରି ରହିଛି।
ପ୍ରଶାସନ ସୂଚନା ଅନୁଯାୟୀ, ଫେରୀଟି ଇଷ୍ଟ ଜାଭାର ସୁରବାୟାରୁ ଦକ୍ଷିଣ ସୁଲାୱସିର ମକସର ଅଭିମୁଖେ ଯାତ୍ରା କରୁଥିବା ବେଳେ ମାଦୁରା ଦ୍ୱୀପ ନିକଟରେ ହଠାତ୍ ନିଆଁ ଲାଗିଯାଇଥିଲା। ସେତେବେଳେ ଜାହାଜରେ ୨୭୧ ଜଣ ଯାତ୍ରୀ ଓ କ୍ରୁ ସଦସ୍ୟ ଥିଲେ।
ନିଆଁ ବ୍ୟାପିଯିବା ପରେ ଫେରୀରୁ ଘନ କଳାଧୂଆଁ ବାହାରିଥିଲା। ଅନେକ ଯାତ୍ରୀ ଧୂଆଁରେ ଅଣନିଶ୍ୱାସୀ ହୋଇପଡ଼ିଥିବାବେଳେ ପ୍ରାଣ ବଞ୍ଚାଇବାକୁ କେତେକ ଲୋକ ସମୁଦ୍ରକୁ ଡେଇଁ ପଡ଼ିଥିଲେ। ଫେରୀର କ୍ୟାପଟେନ୍ ଜରୁରୀ ସଙ୍କେତ ପଠାଇବା ପରେ କୋଷ୍ଟଗାର୍ଡ ଓ ନିକଟବର୍ତ୍ତୀ ଜାହାଜଗୁଡ଼ିକ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଏପର୍ଯ୍ୟନ୍ତ ପ୍ରାୟ ୨୨୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବାବେଳେ ନିଖୋଜ ୪୧ ଜଣଙ୍କୁ ଖୋଜିବା ପାଇଁ ସମୁଦ୍ରରେ ସର୍ଚ୍ଚ ଅପରେସନକୁ ଅଧିକ ତ୍ୱରାନ୍ୱିତ କରାଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବାବେଳେ କର୍ତ୍ତୃପକ୍ଷ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।



