ଶହରୀ ବନ୍ୟା ମୁକାବିଲାକୁ କେନ୍ଦ୍ରର ବଡ଼ ପଦକ୍ଷେପ: ୧୮ ସହର ପାଇଁ ହଜାର କୋଟିର ପ୍ରକଳ୍ପ ଭୁବନେଶ୍ୱରକୁ ମଧ୍ୟ ମିଳିଛି ସ୍ଥାନ
ନୂଆଦିଲ୍ଲୀ: ଦେଶର ବଡ଼ ସହରଗୁଡ଼ିକରେ ବର୍ଷାଜନିତ ବନ୍ୟା ଓ ଜଳବନ୍ଦୀ ସମସ୍ୟା କମାଇବା ପାଇଁ କେନ୍ଦ୍ର ସରକାର ଶହରୀ ବନ୍ୟା ବିପଦ ପରିଚାଳନା ଉପରେ ଗୁରୁତ୍ୱ ଦେଇଛନ୍ତି। ଲୋକସଭାରେ ଏକ ଲିଖିତ ଉତ୍ତରରେ ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏନେଇ ସୂଚନା ଦେଇଛନ୍ତି।
କେନ୍ଦ୍ରର Urban Flood Risk Management Programme (UFRMP) ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା, ମୁମ୍ବାଇ ଓ ପୁଣେ—ଏହି ୭ଟି ସହର ପାଇଁ ମୋଟ ୩,୦୭୫.୬୫ କୋଟି ଟଙ୍କାର ବ୍ୟୟ ଅନୁମୋଦନ ହୋଇଛି।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର ସମେତ ଭୋପାଳ, ଗୁଆହାଟୀ, ଜୟପୁର, କାନପୁର, ପାଟନା, ରାୟପୁର, ତ୍ରିଭାନ୍ଦ୍ରମ, ବିଶାଖାପାଟଣା, ଇନ୍ଦୋର ଓ ଲକ୍ଷ୍ନୌ—ମୋଟ ୧୧ଟି ସହର ପାଇଁ ୨,୪୪୪.୪୨ କୋଟି ଟଙ୍କାର ବ୍ୟୟ ଅନୁମୋଦିତ ହୋଇଛି।
ଭୁବନେଶ୍ୱରକୁ ମଧ୍ୟ ମିଳିଛି ସ୍ଥାନ
ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟ ସରକାରଙ୍କ ମାଧ୍ୟମରେ କାର୍ଯ୍ୟକାରୀ ହେଉଛି। ପ୍ରଥମ ପର୍ଯ୍ୟାୟର ୭ଟି ସହର ଏବଂ ଦ୍ୱିତୀୟ ପର୍ଯ୍ୟାୟର ଗୁଆହାଟୀର ପ୍ରକଳ୍ପ ବିଭିନ୍ନ ଧାପରେ ଚାଲିଛି।
ପ୍ରକଳ୍ପଗୁଡ଼ିକ ସଫଳ ଭାବେ କାର୍ଯ୍ୟକାରୀ ହେଲେ ସହରର ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ସୁଧୁରିବ, ଜଳବନ୍ଦୀ ଓ ବନ୍ୟା କମିବ ଏବଂ ରାସ୍ତା ସଂଯୋଗ ବ୍ୟବସ୍ଥା ଅଧିକ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।
ପ୍ରକଳ୍ପର ଅଗ୍ରଗତି ଉପରେ ଗୃହ ମନ୍ତ୍ରଣାଳୟ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ପକ୍ଷରୁ ସମୟ ସମୟରେ ସମୀକ୍ଷା କରାଯାଉଛି। ପ୍ରକଳ୍ପଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ ପରେ ହିଁ ସହରଭିତ୍ତିକ ଫଳାଫଳର ଅନ୍ତିମ ମୂଲ୍ୟାଙ୍କନ କରାଯିବ।
ବନ୍ୟା ଓ ଜଳବନ୍ଦୀରୁ ସହରବାସୀଙ୍କୁ ସୁରକ୍ଷା ଦେବା ସହ ଆଧୁନିକ ଡ୍ରେନେଜ୍ ବ୍ୟବସ୍ଥାକୁ ମଜବୁତ କରିବା ଏହି ଯୋଜନାର ପ୍ରମୁଖ ଲକ୍ଷ୍ୟ।



