ଗଞ୍ଜାମରେ ୯୦ ଦିନ ପାଇଁ ଧାରା-୩୦: ସଭା, ସମାବେଶ ଓ ଶୋଭାଯାତ୍ରା ପୂର୍ବରୁ ଅନୁମତି ଜରୁରୀ
ଗଞ୍ଜାମ: ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାରେ ପୋଲିସ ଆଇନ, ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ଏହି ନିର୍ଦ୍ଦେଶ ୯୦ ଦିନ ପର୍ଯ୍ୟନ୍ତ, ଅର୍ଥାତ୍ ନଭେମ୍ବର ୧୩ ପର୍ଯ୍ୟନ୍ତ ବଳବତ୍ତର ରହିବ।
ଜିଲ୍ଲାରେ ରାଜନୈତିକ ଦଳ କିମ୍ବା ଅନ୍ୟ କୌଣସି ସଂଗଠନ ପକ୍ଷରୁ ସଭା, ସମାବେଶ, ଶୋଭାଯାତ୍ରା କିମ୍ବା ବଡ଼ ଜନସମାଗମ ଆୟୋଜନ କରିବାକୁ ହେଲେ ପୂର୍ବରୁ ପୋଲିସର ଅନୁମତି ନେବା ବାଧ୍ୟତାମୂଳକ କରାଯାଇଛି।
୭୨ ଘଣ୍ଟା ପୂର୍ବରୁ ଆବେଦନ
ଜିଲ୍ଲାର ସମସ୍ତ ଥାନା ଅଞ୍ଚଳରେ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସମ୍ପୃକ୍ତ SDPO କିମ୍ବା ଥାନା ଅଧିକାରୀଙ୍କ ନିକଟରେ ଅନୁମତି ପାଇଁ ଆବେଦନ କରିବାକୁ ପଡ଼ିବ। ନିର୍ଦ୍ଧାରିତ କାର୍ଯ୍ୟକ୍ରମର ଅତି କମରେ ୭୨ ଘଣ୍ଟା ପୂର୍ବରୁ ଏହି ଆବେଦନ ଦାଖଲ କରିବା ଆବଶ୍ୟକ।
ପୋଲିସର କହିବାନୁସାରେ, ସଭା ଓ ଶୋଭାଯାତ୍ରା ସମୟରେ ସମ୍ଭାବ୍ୟ ଅଶାନ୍ତିକୁ ରୋକିବା ଏବଂ ଜିଲ୍ଲାରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।
ଧାରା-୩୦ର ନିର୍ଦ୍ଦେଶନାମା ଉଲ୍ଲଂଘନ କରି ଅନୁମତି ବିନା କୌଣସି କାର୍ଯ୍ୟକ୍ରମ ଆୟୋଜନ କଲେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ସଂଗଠନ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ପୋଲିସ ସ୍ପଷ୍ଟ କରିଛି।



