ଦନ୍ତ ଚିକିତ୍ସକଙ୍କୁ ବଡ଼ ଖୁସି ଖବର: ମାସକୁ ମିଳିବ ୨୦ ହଜାର ଟଙ୍କା ପ୍ରୋତ୍ସାହନ
ଭୁବନେଶ୍ୱର: ସରକାରୀ ସ୍ୱାସ୍ଥ୍ୟସେବାରେ କାର୍ଯ୍ୟରତ ପୋଷ୍ଟ-ଗ୍ରାଜୁଏଟ୍ ଯୋଗ୍ୟତାପ୍ରାପ୍ତ ଦନ୍ତ ଚିକିତ୍ସକଙ୍କ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ଏଣିକି ଯୋଗ୍ୟ ଦନ୍ତ ଚିକିତ୍ସକମାନଙ୍କୁ ପ୍ରତିମାସ ୨୦,୦୦୦ ଟଙ୍କାର ପ୍ରୋତ୍ସାହନ ମିଳିବ।
ଓଡ଼ିଶା ମେଡିକାଲ ସର୍ଭିସେସ୍ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକମାନଙ୍କ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ନୂଆ ବ୍ୟବସ୍ଥା ଲାଗୁ କରିଛି। ଏନଏମସି ସ୍ୱୀକୃତ ମେଡିକାଲ କଲେଜରୁ ପୋଷ୍ଟ-ଗ୍ରାଜୁଏସନ୍ ଯୋଗ୍ୟତା ହାସଲ କରି ସ୍ୱାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଦନ୍ତ ଚିକିତ୍ସକମାନେ ଏହି ସୁବିଧା ପାଇବେ।
ସରକାରଙ୍କ ପକ୍ଷରୁ ଜାରି ନୋଟିଫିକେସନ୍ ଅନୁସାରେ, ଏହି ପ୍ରୋତ୍ସାହନ ବ୍ୟବସ୍ଥା ୨୯ ଅଗଷ୍ଟ ୨୦୨୬ ଠାରୁ କାର୍ଯ୍ୟକାରୀ ହେବ। ଅର୍ଥ ବିଭାଗର ସମ୍ମତି ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ନୋଟିଫିକେସନ୍ ପ୍ରକାଶ କରାଯାଇଛି।
ଏହି ନିଷ୍ପତ୍ତିକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ପୋଷ୍ଟ-ଗ୍ରାଜୁଏଟ୍ ଯୋଗ୍ୟତାପ୍ରାପ୍ତ ଦନ୍ତ ଚିକିତ୍ସକଙ୍କୁ ସରକାରୀ ସେବାରେ ଉତ୍ସାହିତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ୱାରା ରାଜ୍ୟର ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ବିଶେଷଜ୍ଞ ଦନ୍ତ ଚିକିତ୍ସା ସେବା ଆହୁରି ସୁଦୃଢ଼ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର ସ୍ୱାସ୍ଥ୍ୟସେବାକୁ ଅଧିକ ଦକ୍ଷ ଓ ଗୁଣାତ୍ମକ କରିବା ଦିଗରେ ଏଭଳି ପଦକ୍ଷେପ ନେଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟର ସରକାରୀ ହସ୍ପିଟାଲଗୁଡ଼ିକରେ ବିଶେଷଜ୍ଞ ଦନ୍ତ ଚିକିତ୍ସକଙ୍କ ଉପଲବ୍ଧତା ବଢ଼ିବା ସହ ସାଧାରଣ ଲୋକଙ୍କୁ ଉନ୍ନତ ଦନ୍ତ ଚିକିତ୍ସା ସେବା ମିଳିବ ବୋଲି ଆଶା କରାଯାଉଛି।



