‘ଖେଳିବ ଓଡ଼ିଶା, ଜିତିବ ଓଡ଼ିଶା’: ବିଶ୍ୱର କ୍ରୀଡ଼ା ରାଜଧାନୀ ହେବ ଓଡ଼ିଶା, ନିରବଚ୍ଛିନ୍ନ ପ୍ରୟାସ ଜାରି ରହିବ
ଭୁବନେଶ୍ୱର: କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାକୁ ବିଶ୍ୱସ୍ତରୀୟ ଶକ୍ତିକେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ନିଜର ପ୍ରୟାସ ଜାରି ରଖିବ। ‘ଖେଳିବ ଓଡ଼ିଶା, ଜିତିବ ଓଡ଼ିଶା’ ମନ୍ତ୍ରକୁ ନେଇ ଓଡ଼ିଶାକୁ ବିଶ୍ୱର କ୍ରୀଡ଼ା ରାଜଧାନୀ କରିବା ଦିଗରେ କାମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କୃତୀ କ୍ରୀଡ଼ାବିତ୍, ପ୍ରଶିକ୍ଷକ, କ୍ରୀଡ଼ା ସାମ୍ବାଦିକ ଓ ସାହସୀ ବ୍ୟକ୍ତିବିଶେଷଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ଓ ସାହସିକତା ପୁରସ୍କାର ପ୍ରଦାନ କରିଥିଲେ।
ହକିର କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ ଯୁବପିଢ଼ିଙ୍କୁ ଦେଶ ପାଇଁ କିଛି କରିବାର ସଂକଳ୍ପ ନେବାକୁ ଆହ୍ୱାନ କରିଥିଲେ। ଚଳିତ ବର୍ଷର ‘ଖେଳିବ ଭାରତ, ଜିତିବ ଭାରତ’ ଥିମ୍କୁ ଆଧାର କରି ‘ଖେଳିବ ଓଡ଼ିଶା, ଜିତିବ ଓଡ଼ିଶା’ର ସଂକଳ୍ପ ନେବାକୁ ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ‘ପଡ଼ିଆରୁ ପୋଡ଼ିୟମ୍’ ଆଭିମୁଖ୍ୟରେ ଓଡ଼ିଶାର କ୍ରୀଡ଼ା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସୁଛି। ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ବିଶ୍ୱସ୍ତରୀୟ ତାଲିମ ଓ ଭିତ୍ତିଭୂମି ଯୋଗାଇ ଦିଆଯାଉଛି।
ରାଜ୍ୟର ୩୧୪ଟି ବ୍ଲକରେ ୪,୧୨୪ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ କରାଯାଉଥିବା ବେଳେ ଭୁବନେଶ୍ୱର ଗୋଠପାଟଣାରେ ବିଶ୍ୱସ୍ତରୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଏବଂ ଢେଙ୍କାନାଳରେ ‘ବାଜି ରାଉତ ରିଜିଓନାଲ ସ୍ପୋର୍ଟ୍ସ ହବ୍’ ସମେତ ଅନ୍ୟ ୫ଟି ଆଞ୍ଚଳିକ କ୍ରୀଡ଼ା ହବ୍ ସ୍ଥାପନ କରାଯାଉଛି।
ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭାକୁ ସୁଯୋଗ ଦେବା ପାଇଁ ‘ସିଏମ୍ ଟ୍ରଫି’ ଆୟୋଜନ କରାଯାଉଛି। ଏଥିସହ ମାଓ ପ୍ରଭାବିତ ୧୦ଟି ଜିଲ୍ଲାର ୪୮୫ଟି ଗ୍ରାମର ଯୁବକଯୁବତୀଙ୍କୁ କ୍ରୀଡ଼ା ସାମଗ୍ରୀ ଯୋଗାଇ ଦିଆଯାଉଛି। ଖେଳକୁ କେବଳ ପ୍ରତିଯୋଗିତା ନୁହେଁ, ସାମାଜିକ ପରିବର୍ତ୍ତନର ମାଧ୍ୟମ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।
ଏହା ସହିତ ଓଡ଼ିଶା ୨୦୨୮ ଏସିଆନ୍ ଏବଂ ବିଶ୍ୱ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିଅନସିପ୍ ଆୟୋଜନ କରିବାର ଐତିହାସିକ ସୁଯୋଗ ପାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ।
ସମାରୋହରେ ନୟାଗଡ଼ର ସୌମ୍ୟରଞ୍ଜନ ବେହେରାଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ଏବଂ ଯାଜପୁରର ସ୍ୱର୍ଗତ ନୀଳମାଧବ ପଣ୍ଡା ଓ ସୁନିଲ କୁମାର ରାୟଙ୍କୁ ମରଣୋତ୍ତର ସାହସିକତା ପୁରସ୍କାର ଦିଆଯାଇଥିଲା।
ସେହିପରି ଜୀବନବ୍ୟାପୀ ସାଧନା ପାଇଁ ପ୍ରଣତି ମିଶ୍ର, କ୍ରୀଡ଼ା ସାମ୍ବାଦିକତା ପାଇଁ ଶକ୍ତି ପ୍ରସାଦ ନନ୍ଦ, ଉତ୍କୃଷ୍ଟ କ୍ରୀଡ଼ା ପ୍ରଦର୍ଶନ ପାଇଁ ଲୋମା ସ୍ୱାଇଁ, ଶ୍ରେଷ୍ଠ ପ୍ରଶିକ୍ଷକ ଭାବେ ଗୋପାଳ କୃଷ୍ଣ ଦାଶ, ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍ ଭାବେ ସୁଚିତ୍ରା ପରିଡ଼ା, ଶ୍ରେଷ୍ଠ ଉଦୀୟମାନ କ୍ରୀଡ଼ାବିତ୍ ଭାବେ ପ୍ରତୀକ ମହାରଣା ଓ ପାୟଲ ନାଗ, ଶ୍ରେଷ୍ଠ ବୈଷୟିକ ଅଧିକାରୀ ଭାବେ ପ୍ରବୋଧ କୁମାର ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା।
‘ସର୍ବୋତ୍ତମ କ୍ରୀଡ଼ା ପ୍ରୋତ୍ସାହନ ସଂସ୍ଥା’ ପୁରସ୍କାର ସମ୍ବଲପୁରର ସମଲେଶ୍ୱରୀ ସ୍ପୋର୍ଟିଂ କ୍ଲବ୍କୁ ମିଳିଥିଲା। କ୍ଲବ୍ ପକ୍ଷରୁ ଏହାକୁ ଅଧ୍ୟକ୍ଷ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଗ୍ରହଣ କରିଥିଲେ।
କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମେଜର ଧ୍ୟାନଚାନ୍ଦଙ୍କୁ ସ୍ମରଣ କରି କହିଥିଲେ ଯେ, ଦକ୍ଷତା ସହ ନିଷ୍ଠା ଓ ଶୃଙ୍ଖଳା ହିଁ ଜଣେ ଖେଳାଳିଙ୍କୁ ମହାନ କରେ। ପିଲାମାନେ ସ୍କ୍ରିନ୍ ଟାଇମ୍ କମାଇ ସ୍ପୋର୍ଟ୍ସ ଟାଇମ୍ ବଢ଼ାଇବାକୁ ସେ ଆହ୍ୱାନ ଦେଇଥିଲେ।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପାରା ତୀରନ୍ଦାଜ ପାୟଲ ନାଗଙ୍କ ସଫଳତାକୁ ପ୍ରେରଣାଦାୟକ ବୋଲି କହିବା ସହ ‘ଫିଟ୍ ଓଡ଼ିଶା ମିଶନ୍’ ମାଧ୍ୟମରେ ଗ୍ରାମପଞ୍ଚାୟତଠାରୁ ମ୍ୟୁନିସିପାଲିଟି ପର୍ଯ୍ୟନ୍ତ ଶାରୀରିକ ସୁସ୍ଥତାକୁ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ।



