ସିଏମ୍ କିଷାନ୍ ଯୋଜନାର ପଞ୍ଚମ କିସ୍ତି ବଣ୍ଟନ ସମାରୋହ ଆୟୋଜିତ

ଅନୁଗୋଳ, ୦୪.୦୯ : ମୁଖ୍ୟମନ୍ତ୍ରୀ କିଷାନ୍ ସମ୍ମାନ ନିଧି (ସିଏମ୍ କିଷାନ୍) ଯୋଜନାର ପଞ୍ଚମ କିସ୍ତି ଆଜି ପବିତ୍ର ଜନ୍ମାଷ୍ଟମୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଶିକ୍ଷାସଦନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଦାନ କରିଛନ୍ତି। ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ସିଏମ୍ କିଷାନ୍ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବର୍ଷକୁ ୨ଟି କିସ୍ତିରେ ପ୍ରତିବର୍ଷ ୨୦୦୦ ଟଙ୍କା ହିସାବରେ ମୋଟ ୪୦୦୦ ଟଙ୍କା ପ୍ରଦାନ କରାଯାଉଛି। ସେହିଭଳି ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମୋଟ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଉଛି। ଏହି କିସ୍ତିରେ ଜିଲ୍ଲାର ୧ ଲକ୍ଷ ୪୮ ହଜାର ୯୨୬ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୨୯ କୋଟି ୭୮ ଲକ୍ଷ ୫୨ ହଜାର ଟଙ୍କା ଏବଂ ୨୦୭ ଜଣ ଭୂମିହୀନ ଚାଷୀଙ୍କୁ ପ୍ରାୟ ୮ ଲକ୍ଷ ୬୨ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମାନ୍ୟବର ପାଲଲହଡ଼ା ବିଧାୟକ ଶ୍ରୀ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ମାନ୍ୟବର ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡ଼ନାୟକ , ମାନ୍ୟବର ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ଶ୍ରୀ ଚୌଧୁରୀ ପ୍ରଧାନ, ମାନ୍ୟବର ତାଳଚେର ବିଧାୟକଙ୍କ ପ୍ରତିନିଧି ଶ୍ରୀ ମୁରଲୀଧର ସାହୁ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼. ଦେବାଶିଷ ମିଶ୍ର, ଜଳ ବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଜୟରାମ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଦିବ୍ୟ ଲୋଚନ ପଣ୍ଡା, ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିନୋଦ କୁମାର ଦଳାଇଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର କୃଷି ଅଧିକାରୀ, ବିଭାଗୀୟ ଅଧିକାରୀ ଓ କୃଷକ ପ୍ରମୁଖ ଉପସ୍ଥିତ ଥିଲେ। ଆତ୍ମା ଉପ-ପ୍ରକଳ୍ପ ନିର୍ଦ୍ଦେଶିକା ପ୍ରଭାତୀ ରାମ ମଞ୍ଚ ପରିଚାଳନା କରିଥିଲେ।




