ପ୍ରଦେଶ କଂଗ୍ରେସ ସଂପାଦକ ଭାବେ ସୁରେଶ ବେହେରାଙ୍କୁ ନିଯୁକ୍ତି
ତାଳଚେର-ଅନୁଗୋଳ କଂଗ୍ରେସ ମହଲରେ ଉତ୍ସାହ
ତାଳଚେର, ୧୦/୦୯ ତାଳଚେରର ବରିଷ୍ଠ କଂଗ୍ରେସ ନେତା ସୁରେଶ ବେହେରାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଂପାଦକ ଭାବେ ନିଯୁକ୍ତ କରାଯାଇଛି। ଦଳ ପକ୍ଷରୁ ଏହି ନିଯୁକ୍ତି ଘୋଷଣା ହେବା ପରେ ତାଳଚେର ସମେତ ସମଗ୍ର ଅନୁଗୋଳ ଜିଲ୍ଲାର କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଖୁସି ଓ ଉତ୍ସାହର ଲହରୀ ସୃଷ୍ଟି ହୋଇଛି l ଦୀର୍ଘ ବର୍ଷ ଧରି କଂଗ୍ରେସ ସଂଗଠନ ସହ ଜଡ଼ିତ ରହି ଶ୍ରୀ ବେହେରା ଦଳର ସୁଦୃଢ଼ ସଂଗଠନ ଗଠନ, ଜନସମସ୍ୟା ଉଠାଇବା ଓ ସାମାଜିକ କାର୍ଯ୍ୟକଳାପରେ ସକ୍ରିୟ ଭୂମିକା ନିଭାଇ ଆସୁଛନ୍ତି l ତାଙ୍କର ଦୀର୍ଘଦିନର ସାଙ୍ଗଠନିକ ଅଭିଜ୍ଞତା ଏବଂ ଦଳ ପ୍ରତି ନିଷ୍ଠାକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଥିବା କୁହାଯାଉଛି। ଏହି ନିଯୁକ୍ତିକୁ ସ୍ୱାଗତ କରି ତାଳଚେର ଓ ଅନୁଗୋଳ ଜିଲ୍ଲାର କଂଗ୍ରେସ କର୍ମୀମାନେ ଦଳର ସର୍ବଭାରତୀୟ ନେତା ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀ, ଓଡ଼ିଶା ପ୍ରଭାରୀ ଲଲାଜୀ ଦେଶାଇ ଏବଂ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି।କର୍ମୀମାନଙ୍କ ମତରେ ଶ୍ରୀ ବେହେରାଙ୍କ ନେତୃତ୍ୱରେ ତାଳଚେର ଏବଂ ଅନୁଗୋଳ ଅଞ୍ଚଳରେ କଂଗ୍ରେସ ସଂଗଠନ ଆହୁରି ସଶକ୍ତ ହେବ ଏବଂ ଦଳ ନୂତନ ଶକ୍ତି ସହ ଜନସାଧାରଣଙ୍କ ନିକଟରେ ପହଞ୍ଚିପାରିବ। ଏହି ଅବସରରେ ବିଭିନ୍ନ ନେତା, କର୍ମୀ ଓ ଶୁଭେଚ୍ଛୁମାନେ ଶ୍ରୀ ବେହେରାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ସଫଳ କାମନା କରିଛନ୍ତି।



