ତାଳଚେରରେ ରେଳ ରୋକ ଚେତାବନୀ: ସେପ୍ଟେମ୍ବର ୩୦ ସୁଦ୍ଧା କୋଇଲା ୱାଗନରେ ପାଲ ନ ଟଣାଗଲେ
ଅକ୍ଟୋବର ୧ରୁ ଆନ୍ଦୋଳନ
ତାଳଚେର, ୧୦/୦୯ ତାଳଚେର ଅଞ୍ଚଳରେ କୋଇଲା ବୋଝେଇ ରେଳ ୱାଗନଗୁଡିକରେ ଝୁଲା ପାଲ (ତାରପାଲିନ୍) ବ୍ୟବହାର ନ କଲେ ଆସନ୍ତା ଅକ୍ଟୋବର ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରେଳ ରୋକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏନେଇ ତାଳଚେର ଉପଜିଲ୍ଲାପାଳ ଙ୍କ ଜରିଆରେ ଏମ୍.ସି.ଏଲ୍. ର ଏ.ଆର.ଏମ୍.ଙ୍କୁ ଏକ ଚେତାବନୀପତ୍ର ପ୍ରଦାନ କରାଯାଇଛି। ପ୍ରକାଶ ଯେ, ତାଳଚେର ଅଞ୍ଚଳର ବିଭିନ୍ନ କୋଇଲା ଖଣି ଏବଂ କୋଲ୍ ୱାସରିଗୁଡିକରୁ ରେଳ ଯୋଗେ ଦେଶର ବିଭିନ୍ନ ପ୍ରାନ୍ତକୁ କୋଇଲା ପରିବହନ ହେଉଛି। କୋଇଲା ବୋଝେଇ ରେଳ ୱାଗନଗୁଡିକରେ ପାଲ ଘୋଡ଼ାଇ ଯାତାୟତ କରିବା ପାଇଁ ଭାରତ ସରକାରଙ୍କ ଗେଜେଟ୍ ବିଜ୍ଞପ୍ତି ରହିବା ସହ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି। ତଥାପି ଏହାର କଡା କାର୍ଯ୍ୟକାରିତା ନ ହେବାରୁ, ଜାତୀୟ ସବୁଜ ପ୍ରାଧିକରଣ ମଧ୍ୟ ଆସନ୍ତା ସେପ୍ଟେମ୍ବର ୩୦, ୨୦୨୬ ସୁଦ୍ଧା କୋଇଲା ପରିବହନ କରୁଥିବା ରେଳ ୱାଗନଗୁଡିକରେ ପାଲ ଭିଡିବାକୁ ଏମ୍.ସି.ଏଲ୍. କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଏମ୍.ସି.ଏଲ୍. ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନ ନିଆଗଲେ, ବାଧ୍ୟ ହୋଇ ଆସନ୍ତା ଅକ୍ଟୋବର ୧ ତାରିଖରୁ ଜାତୀୟ କଂଗ୍ରେସ୍ ତାଳଚେର ପକ୍ଷରୁ ହଣ୍ଡିଧୁଆଁ ଲେବେଲ କ୍ରସିଂ ନିକଟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳ ରୋକ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀରେ କୁହାଯାଇଛି। ଏହି ଆନ୍ଦୋଳନ ଜନିତ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ସେଥିପାଇଁ ସଂପୂର୍ଣ୍ଣରୂପେ ଏମ୍.ସି.ଏଲ୍. କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସ୍ପଷ୍ଟ କରାଯାଇଛି। ଖଣି ଅଞ୍ଚଳରେ ପରିବେଶ ପ୍ରଦୂଷଣ ରୋକିବା ପାଇଁ ଏହି ପ୍ରସଙ୍ଗ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଅବସରରେ ବରିଷ୍ଠ ଯୁବ କଂଗ୍ରେସ୍ସା ନେତା ଶ୍ରୀ ରାଜକିଶର ସାହୁ, ପ୍ରଦୀପ ମହାରଣା ,ଦିଗମ୍ବର ଗଡ଼ନାୟକ, ସଂଗ୍ରାମ କେଶରୀ କୁଅଁର, ଶ୍ରୀକାନ୍ତ ନାଏକ , ଜିତେନ୍ଦ୍ର ନାଏକ୍, ରାଜେଶ୍ ସାହୁ, କ୍ଷିତିଶ ସାହୁ, ସୁନୀଲ ପାଣି , ବିଭୂତି ସାହୁ , ସହଦେବ ସାହୁ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ ।

September 11, 2026/
No Comments


