ପିଏମ୍ଓ ଅଧିକାରୀ ପରିଚୟ ଦେଇ ପ୍ରବେଶ ଉଦ୍ୟମ, ନକଲି ଅଫିସର ଓ ଦେହରକ୍ଷୀ ଗିରଫ
ମୁମ୍ବାଇ: ପ୍ରଧାନମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ତ୍ରୁଟି ରୋକାଯାଇଛି। ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସସ୍ଥିତ ଜିଓ ୱାର୍ଲ୍ଡ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମକୁ ନିଜକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀ ବୋଲି ପରିଚୟ ଦେଇ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଜଣେ ଯୁବକ ଓ ତାଙ୍କ ସଶସ୍ତ୍ର ଦେହରକ୍ଷୀଙ୍କୁ ପୁଲିସ ଗିରଫ କରିଛି।
ଗିରଫ ହୋଇଥିବା ଯୁବକଙ୍କ ନାମ ରୋହନ ପାରେଖ। ତାଙ୍କ ସହ ଥିବା ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ମଧ୍ୟ ପୁଲିସ ହେପାଜତକୁ ନେଇଛି। ପୁଲିସ ସୂଚନା ଅନୁସାରେ, ରୋହନ ମୋବାଇଲ୍ରେ ଏକ ସନ୍ଦିଗ୍ଧ ପିଏମ୍ଓ ପରିଚୟପତ୍ର ଦେଖାଇ କାର୍ଯ୍ୟକ୍ରମସ୍ଥଳକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।
ତେବେ ତାଙ୍କ ସହ ଥିବା ଦେହରକ୍ଷୀଙ୍କ ପାଖରେ ବନ୍ଧୁକ ଥିବାରୁ ପ୍ରବେଶ ଦ୍ୱାରରେ ନିୟୋଜିତ ସୁରକ୍ଷାକର୍ମୀମାନଙ୍କ ସନ୍ଦେହ ହୋଇଥିଲା। ଏହାପରେ ଉଭୟଙ୍କୁ ଅଟକାଇ ପଚରାଉଚୁରା କରାଯାଇଥିଲା। ପରିଚୟପତ୍ର ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡ଼ିଥିଲା।
ଘଟଣାକୁ ନେଇ କୋର୍ଟରେ ଶୁଣାଣି ସମୟରେ ରୋହନଙ୍କ ଆଇନଜୀବୀ ଭିନ୍ନ ଦାବି କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ରୋହନ ନିଜେ ଏକ ବଡ଼ ଠକେଇର ଶିକାର ହୋଇଛନ୍ତି। ତାଙ୍କୁ ଜାଲ୍ ନିଯୁକ୍ତିପତ୍ର ଦିଆଯାଇଥିଲା ଏବଂ ସେ ନିଜକୁ ପିଏମ୍ଓର ପ୍ରକୃତ ଅଧିକାରୀ ଭାବି ସେହି ଅନୁସାରେ କାର୍ଯ୍ୟ କରୁଥିଲେ। ଏହି ବିଶ୍ୱାସରେ ସେ ବ୍ୟକ୍ତିଗତ ଦେହରକ୍ଷୀ ମଧ୍ୟ ନିୟୋଜିତ କରିଥିବା ଆଇନଜୀବୀ କହିଛନ୍ତି।
ଘଟଣାର ପଛରେ କିଏ ରହିଛି ଏବଂ ନକଲି ପରିଚୟପତ୍ର କିପରି ପ୍ରସ୍ତୁତ ହୋଇଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।



