କର୍ଣ୍ଣାଟକରେ କଂଗ୍ରେସ ମନ୍ତ୍ରୀଙ୍କ ଘରେ ଇଡି ଚଢାଉ, ୧୮ଟି ସ୍ଥାନରେ ତଲାସି
ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ସରକାର ପାଇଁ ଅସୁବିଧା ବଢ଼ାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚଢାଉ। ରାଜ୍ୟର ପିଡବ୍ଲୁଡି ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସତୀଶ ଜାରକିହୋଲିଙ୍କ ସହ ଜଡିତ ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଏକାସାଙ୍ଗରେ ତଲାସି ଅଭିଯାନ ଚାଲିଛି।
ସୂଚନା ଅନୁଯାୟୀ, ବେଙ୍ଗାଲୁରୁ, ବେଲାଗାଭି ସମେତ କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳ ଏବଂ ମହାରାଷ୍ଟ୍ରର କିଛି ସ୍ଥାନକୁ ମିଶାଇ ପ୍ରାୟ ୧୮ଟି ଠିକଣାରେ ଇଡି ଅଧିକାରୀମାନେ ଚଢାଉ କରିଛନ୍ତି। ଏହା ମଧ୍ୟରେ ବେଙ୍ଗାଲୁରୁର ଡଲାର କଲୋନିସ୍ଥିତ ମନ୍ତ୍ରୀଙ୍କ ବାସଭବନ ମଧ୍ୟ ରହିଛି।
ସକାଳୁ ଇଡିର ଏକ ଟିମ୍ ସିଆରପିଏଫ୍ ଯବାନଙ୍କ ସୁରକ୍ଷାରେ ଦୁଇଟି ଗାଡ଼ିରେ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚିଥିଲା। ଏହାପରେ ଘର ଭିତରେ ତଲାସି ଆରମ୍ଭ ହୋଇଥିଲା। ଚଢାଉ ସମୟରେ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତେବେ ତଲାସି ବେଳେ କୌଣସି ଦଲିଲ କିମ୍ବା ସାମଗ୍ରୀ ଜବତ ହୋଇଛି କି ନାହିଁ, ସେନେଇ ଇଡି ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।
ଏହି ତଦନ୍ତ କେବଳ ମନ୍ତ୍ରୀ ସତୀଶ ଜାରକିହୋଲିଙ୍କ ଠିକଣାରେ ସୀମିତ ନଥିବା ଜଣାପଡ଼ିଛି। ତାଙ୍କ ଝିଅ ତଥା କଂଗ୍ରେସ ସାଂସଦ ପ୍ରିୟଙ୍କା ଜାରକିହୋଲିଙ୍କ ସହ ସମ୍ପର୍କିତ କିଛି ସ୍ଥାନରେ ମଧ୍ୟ ଇଡି ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ତଦନ୍ତକାରୀ ଦଳ ବିଭିନ୍ନ କାଗଜପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯାଞ୍ଚ କରୁଥିବା ସୂଚନା ମିଳିଛି।
ସତୀଶ ଜାରକିହୋଲି କର୍ଣ୍ଣାଟକ ସରକାରର ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତା। ସେ ଦଳର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଘନିଷ୍ଠ ବୋଲି ମଧ୍ୟ ଚର୍ଚ୍ଚା ରହିଛି। ତେଣୁ ମନ୍ତ୍ରୀ ଓ ତାଙ୍କ ପରିବାର ସହ ଜଡିତ ସ୍ଥାନରେ ଇଡିର ଏହି ଚଢାଉକୁ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱ ଦିଆଯାଉଛି।



