ୟୁଏଇରୁ ୨.୪୩ ଲକ୍ଷ କୋଟିର ନିବେଶ ପ୍ରସ୍ତାବ ଆଣି ଫେରିଲେ ମୁଖ୍ୟମନ୍ତ୍ରୀ
ପ୍ରାୟ ୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ; ରାଜ୍ୟର ମୋଟ ନିବେଶ ପ୍ରସ୍ତାବ ୨୨.୫ ଲକ୍ଷ କୋଟିରେ ପହଞ୍ଚିଲା
ଭୁବନେଶ୍ୱର, ୧୩/୯: ୟୁଏଇ ଗସ୍ତ ଶେଷ କରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ତିନି ଦିନିଆ ନିବେଶ ପ୍ରଚାର ଅଭିଯାନରେ ଆବୁଧାବି ଓ ଦୁବାଇରେ ବ୍ୟାପକ ଆଲୋଚନା ପରେ ଓଡ଼ିଶା ପାଇଁ ୨ ଲକ୍ଷ ୪୩ ହଜାର ୧୬୨ କୋଟି ଟଙ୍କାର ନିବେଶ ପ୍ରସ୍ତାବ ମିଳିଥିବା ସୂଚନା ଦିଆଯାଇଛି। ଏହି ନିବେଶ ମାଧ୍ୟମରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୯ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ରବିବାର ପୂର୍ବାହ୍ଣରେ ମୁଖ୍ୟମନ୍ତ୍ରୀ ନିଜ ଟିମ୍ ସହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମନ୍ତ୍ରୀ, ବିଧାୟକ ଓ ସମର୍ଥକମାନେ ତାଙ୍କୁ ସ୍ୱାଗତ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୟୁଏଇ ଗସ୍ତ ଓଡ଼ିଶା ସରକାରଙ୍କ ଗତ ଦୁଇ ବର୍ଷର ଶିଳ୍ପାୟନ ଅଭିଯାନକୁ ଆହୁରି ଗତି ଦେଇଛି। ୨୦୨୫ ଜାନୁଆରୀରେ ଭୁବନେଶ୍ୱରରେ ଆୟୋଜିତ ‘ଉତ୍କର୍ଷ ଓଡ଼ିଶା–ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ପରେ ଦେଶର ବିଭିନ୍ନ ସହର ସମେତ ସିଙ୍ଗାପୁର ଓ ୟୁଏଇ ଭଳି ବିଦେଶୀ ନିବେଶ କେନ୍ଦ୍ରଗୁଡ଼ିକରେ ନିବେଶକଙ୍କ ସହ ଆଲୋଚନା ଜାରି ରହିଛି।
ସେ କହିଛନ୍ତି, ଏହି ପ୍ରୟାସ ଦ୍ୱାରା ଓଡ଼ିଶାରେ ପୁଞ୍ଜିନିବେଶ ବଢ଼ିବା ସହ ଶିଳ୍ପ ବିକାଶ, ଅର୍ଥନୈତିକ ଅଭିବୃଦ୍ଧି ଓ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ। ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସେ ମତ ଦେଇଛନ୍ତି।
ସେପ୍ଟେମ୍ବର ୮ରୁ ୧୨ ପର୍ଯ୍ୟନ୍ତ ଚାଲିଥିବା ଏହି ଗସ୍ତରେ ସେପ୍ଟେମ୍ବର ୯, ୧୦ ଓ ୧୧ ତାରିଖରେ ଆବୁଧାବି ଏବଂ ଦୁବାଇରେ ନିବେଶକଙ୍କ ସହ ବ୍ୟାପକ ଆଲୋଚନା ହୋଇଥିଲା। ମୋଟ ୫୨ଟି ବିଜନେସ୍ ମିଟିଂ, ୬ଟି ରାଉଣ୍ଡଟେବୁଲ୍ ବୈଠକ ଓ ୪୬ଟି ୱାନ୍-ଟୁ-ୱାନ୍ ଆଲୋଚନା ହୋଇଥିଲା। ପ୍ରାୟ ୪୦୦ ଶିଳ୍ପପତି ଓ ପ୍ରତିନିଧିଙ୍କ ସହ ନିବେଶ ସମ୍ଭାବନା ନେଇ ଆଲୋଚନା କରାଯାଇଥିଲା।
ଗସ୍ତ ସମୟରେ ୮ଟି ବୁଝାମଣାପତ୍ର (MoU) ସ୍ୱାକ୍ଷର ହୋଇଥିବାବେଳେ ୧୬ଟି ନିବେଶ ସମ୍ଭାବନା ସୃଷ୍ଟି ହୋଇଛି। ଏଥିରୁ ୬ ଲକ୍ଷ ୧୮ ହଜାର ୭୨୫ଟି ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଥିବାବେଳେ ପରୋକ୍ଷ ନିଯୁକ୍ତିକୁ ମିଶାଇ ଏହି ସଂଖ୍ୟା ପ୍ରାୟ ୯ ଲକ୍ଷରେ ପହଞ୍ଚିବ।
ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ପୂର୍ବରୁ ମିଳିଥିବା ୨୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ପ୍ରସ୍ତାବ ସହ ୟୁଏଇରୁ ମିଳିଥିବା ନୂଆ ପ୍ରସ୍ତାବକୁ ମିଶାଇ ଓଡ଼ିଶାର ମୋଟ ନିବେଶ ପ୍ରସ୍ତାବ ପରିମାଣ ପ୍ରାୟ ୨୨.୫ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି ସୃଷ୍ଟି ଅଭିଯାନକୁ ଏହା ଆହୁରି ମଜବୁତ କରିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।



