ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ପୂଜନ ମାଧ୍ୟମରେ ପରିବେଶ ସଚେତନତା ସୃଷ୍ଟି:
ବରଗଡ:୧୯/୯ (ପବିତ୍ର ମେହେର):ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା ନିମନ୍ତେ ସଚେତନ କରିବା ପାଇଁ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ପରିବେଶ ଅନୁକୂଳ ବାତାବରଣ ମଧ୍ୟରେ ବିଘ୍ନ ବିନାଶକ ଶ୍ରୀ ଗଣେଶଙ୍କ ପୂଜନୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।କେବଳ ପ୍ରାକୃତିକ ରଙ୍ଗ ଏବଂ ମୃତ୍ତିକାରେ ନିର୍ମିତ ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତିକୁ ଏହି ଉତ୍ସବରେ ପୂଜା କରାଯାଇଥିଲା।ସାଜସଜ୍ଜା ନିମନ୍ତେ କାଗଜ, ପତ୍ର ଓ ପ୍ରାକୃତିକ ଫୁଲ,ଫଳ ତଥା କାଣ୍ଡକୁ ବ୍ଯବହାର କରାଯାଇଥିଲା।ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ତତ୍ତ୍ଵାବଧାନରେ ଇକୋ କ୍ଲବ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ବରଗଡ଼ ସ୍ଥିତ ଇମ୍ପେରିଏଲ୍ କଲେଜରୁ ପ୍ରାପ୍ତ ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ଗ୍ରହଣ କରିବା ପରେ ସାଜସଜ୍ଜା ପାଇଁ ବିଦ୍ୟାଳୟରେ କେବଳ ଜୈବ ଅବକ୍ଷୟକ୍ଷମ ପ୍ରାକୃତିକ ପଦାର୍ଥ ବ୍ୟବହାର କରି ଏକ ପ୍ରଦୂଷଣ ମୁକ୍ତ ପରିବେଶ ସୃଷ୍ଟି କରିବା ସହିତ ପରିବେଶ ସଚେତନତାର ବାର୍ତ୍ତା ଦେଇଛନ୍ତି।ବିଦ୍ୟାଳୟରେ ଆୟୋଜିତ ଏହି ଉତ୍ସବରେ ପୂଜାକାର୍ଯ୍ୟ ପୁରୋହିତ ସୀତାରାମ ରଥ ତୁଲାଇଥିବା ବେଳେ ସାଜସଜ୍ଜା ନିମନ୍ତେ ଶିକ୍ଷକ ଅମୂଲ୍ୟ ଭୋଇ,ଈଶ୍ୱର ପଧାନ,ପଦ୍ମଲୋଚନ ବିଶି, ପ୍ରକାଶ ପଧାନ,ସୁଦର୍ଶନ ପଧାନ, ଲୋକେଶ୍ୱର ପଶାୟତ, ଅନୀଳ ସିଦାର,ଶିକ୍ଷୟିତ୍ରୀ ସୌଦାମିନୀ ବାରିକ,ରାଜ କୁମାରୀ ଭୁଏ, ରୋଜାଲିନ ଭୋଇ,ଚନ୍ଦ୍ରିକା ଦାସ,ଲକ୍ଷ୍ମୀବତୀ ଭୋଇ,ସରିତା ପଟେଲ,ମନୋଜା ପଟେଲ, ପୁଷ୍ପାଞ୍ଜଳି ପ୍ରଧାନଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଇକୋ କ୍ଳବର ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ। ତେବେ ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ପୂଜନ ମାଧ୍ୟମରେ ସମଗ୍ର ମାନବ ସମାଜକୁ ଦିଆଯାଇଥିବା ପରିବେଶ ସଚେତନତାର ବାର୍ତ୍ତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।



