ମହାବୀର ବଜାର ଠାରେ ଖୁଦୁରୁକୁଣୀ ଓଷା
ଢେଙ୍କାନାଳ, ୨୦/୯: ଢେଙ୍କାନାଳ ସହରସ୍ଥିତ ମହାବୀର ବଜାର ଠାରେ ଖୁଦୁରୁକୁଣୀ ଓଷା ପାଳିତ ହୋଇଯାଇଅଛି । ଦୀର୍ଘ ୧୫ବର୍ଷ ଧରି ଏହି ପୂଜା ଜାକଜମକରେ ପାଳିତ ହୋଇଆସୁଥିବାବେଳେ ଚଳିତ ବର୍ଷ ଏକ ନିଆରା ଢଙ୍ଗରେ ପାଳିତ ହେଉଅଛି । ୪ପାଳି ଧରି ଏହି ଓଷା ପାଳନ ହୋଇଆସୁଥିବାବେଳେ ଆଜି ଅନ୍ତିମ ଦିବସରେ ପ୍ରାତଃ ସମୟରୁ ମା’ଖୁଦୁରୁକୁଣୀକୁ ସ୍ଥାପନ କରି ବାଲୁଙ୍କା ପୂଜାର୍ଚ୍ଚନା କରାଯାଇଥିଲା । ସଂଧ୍ୟାରେ ମା’ଙ୍କର ଆଳତି କରାଯିବା ସହ ଖୁଦୁରୁକୁଣୀଙ୍କ ଓଷା ବହି ପଠନ କରାଯାଇଥିଲା । ରାତ୍ର ସମୟରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଝିଅ ଓ ବୋହୁମାନେ ଭାଇମାନଙ୍କ ଶୁଭ ମନାସି ଏହି ପୂଜାର୍ଚ୍ଚନା କରିଥାନ୍ତି । ସେଥିପାଇଁ ବିଭିନ୍ନ ଖଇ, ଉଖୁଡା, ନଡିଆ, ରାଶିଲଡୁ, କଦଳୀ, କାକୁଡି ଓ ବୁନ୍ଦିଆ ଆଦି ଭୋଗ ଲାଗି କରି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ପୂଜା କମିଟିର ଅଙ୍କିତା ଏହି ପୂଜା ସାହିର ଝିଅପିଲା ଓ ବୋହୂମାନଙ୍କ ସାହାଯ୍ୟ ଓ ସହଯୋଗରେ ଅନୁଷ୍ଠିତ ହୋଇଆସୁଛି । ଆସନ୍ତା ଶୁକ୍ରବାର ଦିନ ବହୁ ଧୂମ୍ଧାମ୍ରେ ଭସାଣୀ ଅନୁଷ୍ଠିତ ହେବ ।



