ମା’ ମଙ୍ଗଳା ପୂଜା କମିଟି ପକ୍ଷରୁ ଖୁଦୁରୁକୁଣୀ ଓଷା
ଢେଙ୍କାନାଳ, ୨୦/୯: ଢେଙ୍କାନାଳ ସହରସ୍ଥିତ ଦୋଳମଣ୍ଡପ ସାହିର ମା’ମଙ୍ଗଳା ପୂଜା ମଣ୍ଡପ ଠାରେ ଖୁଦୁରୁକୁଣୀ ଓଷା ପାଳିତ ହୋଇଯାଇଅଛି । ଦୀର୍ଘ ୫ବର୍ଷ ଧରି ଏହି ପୂଜା ଜାକଜମକରେ ପାଳିତ ହୋଇଆସୁଥିବାବେଳେ ଚଳିତ ବର୍ଷ ଏକ ନିଆରା ଢଙ୍ଗରେ ପାଳିତ ହେଉଅଛି । ୪ପାଳି ଧରି ଏହି ଓଷା ପାଳନ ହୋଇଆସୁଥିବାବେଳେ ଆଜି ଅନ୍ତିମ ଦିବସରେ ପ୍ରାତଃ ସମୟରୁ ମା’ଖୁଦୁରୁକୁଣୀକୁ ସ୍ଥାପନ କରି ବାଲୁଙ୍କା ପୂଜାର୍ଚ୍ଚନା କରାଯାଇଥିଲା । ସଂଧ୍ୟାରେ ମା’ଙ୍କର ଆଳତି କରାଯିବା ସହ ଖୁଦୁରୁକୁଣୀଙ୍କ ଓଷା ବହି ପଠନ କରାଯାଇଥିଲା । ରାତ୍ର ୧୦ ଘଟିକା ସମୟରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଝିଅ ଓ ବୋହୁମାନେ ଭାଇମାନଙ୍କ ଶୁଭ ମନାସି ଏହି ପୂଜାର୍ଚ୍ଚନା କରିଥାନ୍ତି । ସେଥିପାଇଁ ବିଭିନ୍ନ ଖଇ, ଉଖୁଡା, ନଡିଆ, ରାଶିଲଢ଼ୁ, କଦଳୀ, କାକୁଡି ଓ ବୁନ୍ଦିଆ ଆଦି ଭୋଗ ଲାଗି କରି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ପୂଜା କମିଟିର ଗାୟତ୍ରୀ ଷଣ୍ଢ, ଦୀପିକା ଷଣ୍ଢ, ସୁଭଦ୍ରା ଦଳେଇ, ରୋଜି ଷଣ୍ଢ, ରାଧା ବାରିକ, ଲକ୍ଷ୍ମୀପ୍ରିୟା ବାରିକ ଏବଂ ସମସ୍ତ ପିଲାଙ୍କ ସାହାଯ୍ୟ ଓ ସହଯୋଗରେ ଏହି ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।



