ବିଶ୍ୱକୁ ମହାମାରୀ କବଳରୁ ରକ୍ଷା କରିଛି ଭାରତ

ଜେ ବି ଏନ, ୦୯/୦୩/୨୦୨୧, (ରିପୋର୍ଟ, ପ୍ରଦୀପ କୁମାର କାଣ୍ଡି), ନୂଆଦିଲ୍ଲୀ/ହ୍ୟୁଷ୍ଟନ : ଭାରତ କରୋନା ସଂକ୍ରମଣର ମୁକାବିଲା ପାଇଁ ବିଭିନ୍ନ ଦେଶଙ୍କୁ ଟିକାକରଣ ଅଭିଯାନ ଚଳାଇବାରେ ଯେପରି ସହାୟତା କରୁଛି, ତାହାଯୋଗୁ ସମଗ୍ର ବିଶ୍ୱ ଏବେ ତା’ର ପ୍ରଶଂସାରେ ଶତମୁଖ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆମେରିକାର ଜଣେ ଖ୍ୟାତନାମା ଚିକିତ୍ସକ ତଥା ବୈଜ୍ଞାନିକ କହିଛନ୍ତି କି ଭାରତ ବିଭିନ୍ନ ଦେଶଙ୍କୁ କରୋନା ପ୍ରତିଷେଧକ ଟିକା ଯୋଗାଇ ସମଗ୍ର ବିଶ୍ୱକୁ ଏହି ମହାମାରୀ କବଳରୁ ରକ୍ଷା କରିଛି ।
ଭାରତ ଦ୍ୱାରା ପ୍ରସ୍ତୁତ କରୋନା ପ୍ରତିଷେଧକ ଟିକା ପ୍ରକୃତରେ ସମଗ୍ର ବିଶ୍ୱ ପାଇଁ ଏକ ଉପହାର ଅଟେ । କରୋନା ମୁକାବିଲାରେ ଭାରତର ଅବଦାନକୁ କେବେହେଲେ କମ୍ କରି ଦେଖାଯିବା ଉଚିତ୍ ନୁହେଁ । କିନ୍ତୁ ଭାରତକୁ ଏବେ ସେତେଟା ଶ୍ରେୟ ଦିଆଯାଉଛି ବୋଲି ସେ ମନେ କରୁନାହାନ୍ତି । ହ୍ୟୁଷ୍ଟନ ସ୍ଥିତ ନ୍ୟାସନାଲ ସ୍କୁଲ ଅଫ ଟ୍ରପିକାଲ ମେଡିସିନ୍ସର ଡିନ୍ ଡକ୍ଟର ପିଟର ହୋଟେଜ୍ ଏକ ୱେବିନାରରେ ଭାଗ ନେଇ ଏପରି ମତ ଦେଇଛନ୍ତି ।
ସେ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱର ଏକ ବୃହତ୍ ଔଷଧ ପ୍ରସ୍ତୁତକାରୀ ଦେଶ । କରୋନା ସଂକ୍ରମଣ ସମୟରେ ଏଇ କ୍ଷେତ୍ରରେ ନିଜର ବ୍ୟାପକ ଅଭିଜ୍ଞତା ତଥା ଜ୍ଞାନ କାରଣରୁ ଭାରତ ସମଗ୍ର ବିଶ୍ୱ ପାଇଁ ଔଷଧଯୋଗାଣକାରୀ କେନ୍ଦ୍ର ପାଲଟିଛି । ବିଶ୍ୱର ବିଭିନ୍ନ ଦେଶ ଏବେ କରୋନା ପ୍ରତିଷେଧକ ଟିକା ପାଇଁ ଭାରତ ସହିତ ଯୋଗାଯୋଗ କରୁଛନ୍ତି ।
ସେ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶରେ ଏମ-ଆରଏନଏ ଆଧାରରେ ପ୍ରସ୍ତୁତ ଟିକା ଯୋଗୁ ବିକାଶଶୀଳ ଏବଂ ଅନୁନ୍ନତ ଦେଶମାନଙ୍କର କିଛି ଲାଭ ହୋଇନଥାନ୍ତା । କାରଣ ସେଇ ଦେଶଗୁଡିକରେ ଏଭଳି ଟିକାକୁ ବ୍ୟବହାର କରାଯାଇପାରିନଥାନ୍ତା । ସେଇ ଦେଶମାନଙ୍କ ପାଇଁ ଭାରତର ଟିକା ବରଦାନ ପାଲଟିଛି । ଭାରତ ଦ୍ୱାରା ଠିକ୍ ସମୟରେ ବିଭିନ୍ନ ଦେଶକୁ ଏହି ଟିକା ଯୋଗାଇ ଦିଆଯିବା ଯୋଗୁ କରୋନା ସଂକ୍ରମଣ ହ୍ରାସ ପାଉଛି । ଏହାଯୋଗୁ କରୋନା ମହାମାରୀ କବଳରୁ ବିଶ୍ୱ ରକ୍ଷା ପାଇଛି । ଭାରତ ଏଥିପାଇଁ ପ୍ରକୃତରେ ପ୍ରଶଂସାର ପାତ୍ର ଅଟେ ।



