ବଡବିଲରେ ଫୁଟିଛି ବିରଳ ୧୦୦୦ ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲ ବା ସହସ୍ର ଦଳ କମଳ,ଜମୁଛି ଦେଖଣା ହାରୀଙ୍କ ଭିଡ଼ 

କେନ୍ଦୁଝର ଜିଲ୍ଲା ବଡ଼ବିଲ ଠାରେ ଫୁଟିଛି ବିରଳ ୧୦୦୦ ପାଖୁଡ଼ା ବିଶିଷ୍ଟ ପଦ୍ମଫୁଲ ବା ସହସ୍ର ଦଳ କମଳ। ବଡ଼ବିଲ ସହର ପି ଏଚ ଡି କଲୋନିସ୍ଥିତ ଐକ୍ୟ କ୍ଷେତ୍ର ବଗିଚାରେ ଫୁଟିଛି ଏହି ଅସାଧାରଣ ଫୁଲ। ପ୍ରକୃତି ପ୍ରେମୀ ବିଜୟ ମହାନ୍ତିଙ୍କ ତତ୍ବାବଧାନରେ ଏହି ପଦ୍ମ ଫୁଟିପାରିଛି।ବିଦେଶରୁ ଆମଦାନୀ ହୋଇଥିବା ଏହି ପଦ୍ମର କନ୍ଦାକୁ ବିଜୟ ମହାନ୍ତି ପ୍ରାୟ ବର୍ଷକ ତଳେ କଲିକତାରୁ ଆଣିଥିଲେ।ଗତ ବର୍ଷ ସେ କନ୍ଦା ରୋପଣ କରିଥିଲେ।ଏକ ଡ୍ରମରେ ପାଣି ଓ ମାଟି ମିଶାଇ ପଙ୍କ ସୃଷ୍ଟି କରି କନ୍ଦାଟି ଲଗାଇ ଥିଲେ। ପାଖାପାଖି ବର୍ଷେପରେ ଏଥିରେ କଢ଼ ଧରିଥିଲା। କଢ଼ରୁ ଫୁଲରେ ପରିଣତ ହେବାକୁ ପ୍ରାୟ ୧୫ ଦିନ ଲାଗିଗଲା। ଏବେ ଏହି ହଜାରେ ପାଖୁଡ଼ା ପଦ୍ମ ଫୁଲଟି ଦେଖିବାପରେ ଦେଖଣା ହାରୀଙ୍କ ମନମୋହି ନେଉଛି।ଏହି ପଦ୍ମର ରଙ୍ଗ ଗୋଲାପୀ ରଂଗ, ଅନ୍ୟ ପଦ୍ମ ଫୁଲ ଭଳି ଆକାର କିନ୍ତୁ ପାଖୁଡ଼ା ସଂଖ୍ୟା ହଜାରେ।ଏହି ବିରଳ ସହସ୍ର ଦଳ ପଦ୍ମକୁ ଦେଖିବା ପାଇଁ ବହୁ ଲୋକଙ୍କ ଆଗମନ ହେଉଛି।ଏତଦ୍ ବ୍ୟତୀତ ବିଜୟଙ୍କ ଉଦ୍ୟମରେ ଏହି ବଗିଚାରେ ବିଭିନ୍ନ ରଂଗର ହାଇବ୍ରିଡ୍ ପଦ୍ମ ଓ କଇଁ ଫୁଲର ସଂଗ୍ରହ ମଧ୍ୟ ରହିଛି।ଅନ୍ୟାନ୍ୟ ପ୍ରଜାତିର ପାଖାପାଖି ଶହେ ପ୍ରକାର ଫୁଲ ଓ ବୃକ୍ଷ ( ପ୍ଲାଣ୍ଟ), ଏଠାରେ ଦେଖିବାକୁ ମିଳୁଛି।
କେନ୍ଦୁଝର ରୁ ରଞ୍ଜନ ବେହେରା ଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ୍




