ଶୀର୍ଷକ:
କଟକରେ ଜଗଦ୍ଗୁରୁ କୃପାଲୁ ବିଶ୍ୱବିଦ୍ୟାଳୟର ଶୁଭାରମ୍ଭ; ଯୁବପିଢ଼ିର ସ୍ୱପ୍ନ ସାକାର ପାଇଁ ବିଶ୍ୱବିଦ୍ୟାଳୟ ହେଉ ଉପଯୁକ୍ତ ମଞ୍ଚ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ, ଅଗଷ୍ଟ ୩: ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସୋମବାର କଟକରେ ନବଗଠିତ ଜଗଦ୍ଗୁରୁ କୃପାଲୁ ବିଶ୍ୱବିଦ୍ୟାଳୟର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଯୁବଶକ୍ତି ଭାରତର ସବୁଠୁ ବଡ଼ ସମ୍ପଦ ଓ ସେମାନଙ୍କ ପ୍ରତିଭାର ବିକାଶ ସହ ସ୍ୱପ୍ନ ପୂରଣ ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ଆବଶ୍ୟକ।
ରାଷ୍ଟ୍ରପତି କହିଥିଲେ, ଓଡ଼ିଶା ହେଉଛି ଜ୍ଞାନ, ସଂସ୍କୃତି, ଆଧ୍ୟାତ୍ମିକତା ଓ ସେବାର ଏକ ସମୃଦ୍ଧ ପରମ୍ପରାର ଭୂମି। ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଧରିତ୍ରୀ ସଦା ସର୍ବଦା ସମାବେଶୀ ଚିନ୍ତାଧାରା, କରୁଣା ଏବଂ ମାନବ କଲ୍ୟାଣର ବାର୍ତ୍ତା ପ୍ରଚାର କରିଆସିଛି। କଟକ ମାଟି ‘ଉତ୍କଳ ଗୌରବ’ ମଧୁସୂଦନ ଦାସ, ‘କର୍ମବୀର’ ଗୌରୀଶଙ୍କର ରାୟ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବିଜୁ ପଟ୍ଟନାୟକଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କୁ ଜନ୍ମ ଦେଇଛି। ସେହିପରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ କର୍ମଭୂମି ମଧ୍ୟ ଏହି ସହର।
ସେ କହିଥିଲେ, ପ୍ରାଚୀନ ଭାରତୀୟ ସଂସ୍କୃତି ଓ ଆଧୁନିକ ଶିକ୍ଷାର ସମନ୍ୱୟ ମାଧ୍ୟମରେ ଜଗଦ୍ଗୁରୁ କୃପାଲୁ ବିଶ୍ୱବିଦ୍ୟାଳୟ ସମାଜ ଓ ରାଷ୍ଟ୍ର ସେବାରେ ଏକ ନୂଆ ଦିଗ ସୃଷ୍ଟି କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ରାଷ୍ଟ୍ରପତି କହିଥିଲେ, କେବଳ ଡିଗ୍ରୀ ପ୍ରଦାନ କରିବା ନୁହେଁ, ବରଂ ସଚ୍ଚୋଟତା, ଶୃଙ୍ଖଳା, ସମ୍ବେଦନଶୀଳତା ଓ ଜାତୀୟ ଦାୟିତ୍ୱବୋଧ ସମ୍ପନ୍ନ ନାଗରିକ ଗଢ଼ି ତୋଳିବା ମଧ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନମାନଙ୍କର ଦାୟିତ୍ୱ। ଯୁବପିଢ଼ି ଅର୍ଜନ କରୁଥିବା ଜ୍ଞାନ ସମାଜ, ମାନବତା ଓ ଦେଶର ପ୍ରଗତିରେ ବ୍ୟବହୃତ ହେଲେ ତାହାର ପ୍ରକୃତ ସାର୍ଥକତା ରହିବ।
ସେ ଆହୁରି କହିଥିଲେ, ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ ଗଠନର ଲକ୍ଷ୍ୟ ପୂରଣରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱବିଦ୍ୟାଳୟଗୁଡ଼ିକ ଏଭଳି ଜ୍ଞାନକେନ୍ଦ୍ରରେ ପରିଣତ ହେବା ଦରକାର, ଯେଉଁଠାରେ ଉଦ୍ଭାବନ, ଗବେଷଣା ଓ ପ୍ରଯୁକ୍ତି ସମାଜର ବାସ୍ତବ ଆବଶ୍ୟକତା ପୂରଣ କରିବ। ଆଧୁନିକ ଶିକ୍ଷା ସହ ନୈତିକ ମୂଲ୍ୟବୋଧକୁ ସମାନ ଗୁରୁତ୍ୱ ଦେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ଜଗଦ୍ଗୁରୁ କୃପାଲୁ ବିଶ୍ୱବିଦ୍ୟାଳୟ ଗବେଷଣା, ନବସୃଜନ, ଉଦ୍ୟୋଗୀକରଣ ସହ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ଓ ଆଧ୍ୟାତ୍ମିକ ବିକାଶକୁ ମଧ୍ୟ ପ୍ରାଧାନ୍ୟ ଦେବ ବୋଲି ଜାଣି ଖୁସି ବ୍ୟକ୍ତ କରିଥିଲେ ରାଷ୍ଟ୍ରପତି। ଏହି ପ୍ରତିଷ୍ଠାନରୁ ବାହାରୁଥିବା କୁଶଳ ମାନବ ସମ୍ପଦ, ଗବେଷକ ଓ ଉଦ୍ୟୋଗୀମାନେ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ ଗଠନରେ ଉଲ୍ଲେଖନୀୟ ଅବଦାନ ରଖିବେ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକାଶ କରିଥିଲେ।




