ଶୀର୍ଷକ:
ଅଙ୍ଗଦାନକୁ ମିଳିଲା ଡିଜିଟାଲ୍ ଶକ୍ତି; ଲଞ୍ଚ ହେଲା ‘ଇ-ଟ୍ରାନ୍ସପ୍ଲାଣ୍ଟ’ ପ୍ଲାଟଫର୍ମ
ନୂଆଦିଲ୍ଲୀ, ଅଗଷ୍ଟ ୪: ଦେଶରେ ଅଙ୍ଗଦାନ ଏବଂ ଅଙ୍ଗ ପ୍ରତିରୋପଣ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଦ୍ରୁତ ଓ ପ୍ରଯୁକ୍ତିନିର୍ଭର କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ସୋମବାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ୧୬ତମ ଭାରତୀୟ ଅଙ୍ଗଦାନ ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ‘ଇ-ଟ୍ରାନ୍ସପ୍ଲାଣ୍ଟ’ ନାମକ ଅତ୍ୟାଧୁନିକ ଡିଜିଟାଲ୍ ପ୍ଲାଟଫର୍ମ ଓ NOTTO ମୋବାଇଲ୍ ଆପ୍ ଉନ୍ମୋଚନ କରିଛନ୍ତି।
ଏହି ଅବସରରେ ମନ୍ତ୍ରୀ କହିଥିଲେ, ଅଙ୍ଗଦାନ ହେଉଛି ମାନବତା ପ୍ରତି ସର୍ବୋଚ୍ଚ ସେବା। ୨୦୨୩ରେ ଜାତୀୟ ଡିଜିଟାଲ୍ ଅଙ୍ଗଦାନ ପୋର୍ଟାଲ୍ ଆରମ୍ଭ ହେବା ପରଠାରୁ ୫ ଲକ୍ଷରୁ ଅଧିକ ନାଗରିକ ଆଧାର ଯାଞ୍ଚ ସହ ଅଙ୍ଗଦାନ ପାଇଁ ପ୍ରତିଜ୍ଞା କରିଛନ୍ତି।
ସରକାରୀ ତଥ୍ୟ ଅନୁଯାୟୀ, ୨୦୧୩ରେ ଦେଶରେ ୪,୯୯୦ଟି ଅଙ୍ଗ ପ୍ରତିରୋପଣ ହୋଇଥିବାବେଳେ ୨୦୨୫ରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୦,୧୩୮ରେ ପହଞ୍ଚିଛି। ଏହା ସହ ଆମେରିକା ଓ ଚୀନ ପରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅଙ୍ଗ ପ୍ରତିରୋପଣକାରୀ ଦେଶ ଭାବେ ଉଭା ହୋଇଛି।
ମୃତ ଦାତାଙ୍କଠାରୁ ଅଙ୍ଗ ପ୍ରତିରୋପଣରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ୨୦୧୩ରେ ଏହାର ସଂଖ୍ୟା ୮୩୭ ଥିବାବେଳେ ୨୦୨୫ରେ ତାହା ୩,୫୨୬ରେ ପହଞ୍ଚିଛି। ତେବେ ଅଙ୍ଗର ଚାହିଦା ଓ ଉପଲବ୍ଧତା ମଧ୍ୟରେ ଥିବା ବ୍ୟବଧାନ ଦୂର କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି।
ଜନସାଧାରଣଙ୍କ ମଧ୍ୟରେ ଅଙ୍ଗଦାନ ସମ୍ପର୍କିତ ସଚେତନତା ବଢ଼ାଇବା ପାଇଁ ବର୍ଷବ୍ୟାପୀ ‘ଜୁଗ୍ ଜୁଗ୍ ଜିଓ’ ଜାତୀୟ ଅଭିଯାନ ଆରମ୍ଭ କରାଯାଇଛି। ଗାଁଠାରୁ ସହର ପର୍ଯ୍ୟନ୍ତ ଅଙ୍ଗଦାନର ବାର୍ତ୍ତା ପହଞ୍ଚାଇବା ଏହାର ଲକ୍ଷ୍ୟ।
ନୂତନ ‘ଇ-ଟ୍ରାନ୍ସପ୍ଲାଣ୍ଟ’ ପ୍ଲାଟଫର୍ମ ମାଧ୍ୟମରେ ହସ୍ପିଟାଲ, ଡାକ୍ତର, ରୋଗୀ, ଅଙ୍ଗଦାତା ଏବଂ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ ଏକକ ଡିଜିଟାଲ୍ ନେଟୱାର୍କରେ ସଂଯୋଗ କରାଯିବ। ଏହା ଫଳରେ ଅଙ୍ଗ ପ୍ରତିରୋପଣ ପ୍ରକ୍ରିୟା ଅଧିକ ସ୍ୱଚ୍ଛ, ଦ୍ରୁତ ଓ ନିର୍ଭରଯୋଗ୍ୟ ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।
ଏହି ଅବସରରେ ମସ୍ତିଷ୍କ ଷ୍ଟେମ୍ ମୃତ୍ୟୁ ପ୍ରମାଣପତ୍ର ଏବଂ ସ୍ୱାପ୍ ଟ୍ରାନ୍ସପ୍ଲାଣ୍ଟ ପାଇଁ ନୂତନ ଜାତୀୟ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି। ସେହିପରି ଆୟୁଷ୍ମାନ ଭାରତ ଯୋଜନାରେ କିଡନୀ ପ୍ରତିରୋପଣକୁ ସାମିଲ କରାଯାଇଥିବାରୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ରୋଗୀମାନେ ବଡ଼ ଲାଭ ପାଇବେ ବୋଲି ଅନୁପ୍ରିୟା ପଟେଲ କହିଛନ୍ତି। ଏଥିସହ ସେ ସ୍ପଷ୍ଟ କରିଛନ୍ତି ଯେ, ଦେଶର କୌଣସି ପ୍ରମୁଖ ଧର୍ମ ଅଙ୍ଗଦାନକୁ ବିରୋଧ କରେନାହିଁ; ବରଂ ମାନବ ସେବା ଓ ଜୀବନ ରକ୍ଷାକୁ ସର୍ବୋଚ୍ଚ ସ୍ଥାନ ଦେଇଥାଏ।



