ଅଯୋଧ୍ୟା: ଅଯୋଧ୍ୟାରେ ନବ ନିର୍ମିତ ଭବ୍ୟ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କର ରାଜା ରୂପରେ ଅଭିଷେକ ଉତ୍ସବ ପାଳନ ହୋଇଛି। ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରର ପ୍ରଥମ ମହଲାରେ ‘ରାଜା ରାମ’ଙ୍କ ଦରବାର ଲାଗିଛି । ଦ୍ଵି୍ତୀୟ ପ୍ରାଣ ପ୍ରତିଷ୍ଠା ବୈଦିକ ମନ୍ତ୍ର ଉଚ୍ଚାରଣ ସହ ସମାପ୍ତ ହୋଇଛି। ଯେଉଁଠାରେ ଶ୍ରୀରାମଙ୍କ ସହିତ ମାତା ସୀତା, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏବଂ ତାଙ୍କ ଭକ୍ତ ପ୍ରଭୁ ହନୁମାନ ମଧ୍ୟ ଅଛନ୍ତି।
ଶ୍ରୀରାମ ଜନ୍ମଭୂମି ମନ୍ଦିରର ପ୍ରଥମ ମହଲାରେ ଥିବା ଶ୍ରୀରାମ ଦରବାର ସମେତ ଆଠଟି ମନ୍ଦିରରେ ସ୍ଥାପିତ ଦେବତାଙ୍କ ମୂର୍ତ୍ତିର ପ୍ରାଣ-ପ୍ରତିଷ୍ଠା ହୋଇଛି । ଉତ୍ତର-ପୂର୍ବ (ଇଶାନ) କୋଣରେ ଭଗବାନ ଶିବ, ଦକ୍ଷିଣ-ପୂର୍ବ (ଅଗ୍ନି) କୋଣରେ ଭଗବାନ ଗଣେଶ, ଦକ୍ଷିଣ ଭାଗରେ ଭଗବାନ ହନୁମାନ, ଦକ୍ଷିଣ-ପଶ୍ଚିମ କୋଣରେ ସୂର୍ଯ୍ୟ ଦେବତା, ଉତ୍ତର-ପଶ୍ଚିମ (ବାୟବ୍ୟ) କୋଣରେ ଦେବୀ ଭଗବତୀ ଏବଂ ଉତ୍ତର ଶାଖାରେ ଦେବୀ ଅନ୍ନପୂର୍ଣ୍ଣା ରହିଛନ୍ତି । ଏହି କାର୍ଯ୍ୟକ୍ରମର ନେତୃତ୍ୱ ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନେଇଥିଲେ।
ତେବେ ଏହି ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନ ଗତ ୩ ତାରିଖରେ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ୨ ତାରିଖରେ ଅଧିବାସ ଓ ପବିତ୍ର ସରଜୁ ନଦୀରୁ ମନ୍ଦିର ପର୍ଯ୍ୟନ୍ତ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା ।ରାମ ଦରବାର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ । ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ପୁଣି ଏକ ଗୌରବମୟ ଓ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଛି ବୋଲି ଲେଖିଛନ୍ତି ମୋଦୀ।।ଟ୍ରଷ୍ଟି ଅନିଲ ମିଶ୍ର କହିଥିଲେ ଯେ,’ଗଙ୍ଗା ଦଶହରା ଏକ ନୂତନ ଆରମ୍ଭର ପ୍ରତୀକ ହେବ। ଏହା ସେହି ମୁହୂର୍ତ୍ତ ହେବ ଯେତେବେଳେ ଶତାବ୍ଦୀର ତପସ୍ୟା, ସଂଘର୍ଷ ଏବଂ ବିଶ୍ୱାସର ଫଳ ରୂପରେ ପ୍ରକାଶିତ ହେବ,’ ବୋଲି ମିଶ୍ର କହିଛନ୍ତି।
ସୂଚନାଥାଉକି ଏଲୋନ ମସ୍କଙ୍କ ପିତା ଏରୋଲ ମସ୍କ ବୁଧବାର ଅପରାହ୍ନରେ ଅଯୋଧ୍ୟାରେ ପହଞ୍ଚିଥିଲେ। ସେ ତାଙ୍କ ବ୍ୟକ୍ତିଗତ ଚପରରେ ମହର୍ଷି ବାଲ୍ମିକି ବିମାନବନ୍ଦରରେ ପହଞ୍ଚିବା ପରେ ରାମଜନ୍ମଭୂମିରେ ପହଞ୍ଚିଥିଲେ। ଏହି ସମୟରେ ସେ ରାମଲାଲାଙ୍କ ଦର୍ଶନ କରିଥିଲେ।



