ଢେଙ୍କାନାଳ, ତା ୧୨/୦୬/୨୦୨୫ – ସମାନ କାମକୁ ସମାନ ଦରମା, ନିର୍ବାଚନୀ ସଂକଳ୍ପ କରି ଭାରତୀୟ ଜନତା ପାର୍ଟି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ଶାସନକୁ ଆସିବାର ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ (OSNLEA) ର ଦାବି ୧ଜୁନ ୨୦୦୮ ରୁ ୧ଜୁନ ୨୦୧୮ ମଧ୍ୟରେ ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ସରକାରୀ ଅନୁଦାନ ପ୍ରଦାନ ନକରି ନିଜକୁ ଶିକ୍ଷା ଓ ଶିକ୍ଷକ ବିରୋଧୀ ସରକାର ଭାବେ ପ୍ରମାଣ କରିଛି ବୋଲି ଆଜି ସଂଘର ରାଜ୍ୟ ସଭାପତି ବିଶ୍ବରଂଜନ ଦାସଙ୍କ ଆହ୍ୱାନକ୍ରମେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ସଂଘର ୧୨ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଧାରଣାରେ ମତ ପ୍ରକାଶ ପାଇଛି । ସଂଘର ଦାବି ରାଜ୍ୟର ବିଭିନ୍ନ ଅନୁଦାନ ପ୍ରାପ୍ତ ଏବଂ ଅଣଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ୦୧ ଜୁନ ୨୦୦୮ ରୁ ୦୧ ଜୁନ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ବାରା ନିଯୁକ୍ତ ଅଧ୍ୟାପକ ଏବଂ କର୍ମଚାରୀଙ୍କୁ ରାଜ୍ୟ ସରକାର ସରକାରୀ ଅନୁଦାନ ପରିସରଭୁକ୍ତ କରନ୍ତୁ। ଉକ୍ତ ଦାବି ପୂରଣ ନିମିତ୍ତ ମୋହନ ସରକାର ଶପଥ ନେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ, ରାଜ୍ୟ ଅତିଥି ଭବନରେ ପୁଷ୍ପ ଗଛ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସ୍ଵୟଂ ମୁଖ୍ୟମନ୍ତ୍ରୀ ଦାବି ପୂରଣ ଦିଗରେ ସମ୍ପୂର୍ଣ୍ଣ ନୀରବ । ଯଦିବା ସ୍ଥାୟୀ କମିଟି -୪ର ସୁପାରିସ କ୍ରମେ ସରକାର ୨୦୦୮ ରୁ ୨୦୧୮ ଅନୁଦାନ ପ୍ରଦାନ ନିମିତ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ ମାର୍ଚ୍ଚ ୨୦୨୫ ରୁ କମିଟିର ୩ମାସ କାର୍ଯ୍ୟକାଳ ରହିଥିଲେ ମଧ୍ୟ କମିଟି କୌଣସି ନିର୍ଯ୍ୟାସରେ ପହଞ୍ଚି ପାରିଲା ନାହିଁ । ବାରମ୍ବାର ମନ୍ତ୍ରୀ, ବିଧାୟକ, ଏବଂ ସଚିବ ମାନଙ୍କୁ ଦାବିପତ୍ର ପ୍ରଦାନ ପୂର୍ବକ ଆଲୋଚନା କଲେ ମଧ୍ୟ ଅର୍ଥାଭାବର ଆଳ ଦେଖାଇ ସମସ୍ତେ ସମୟ ଗଡ଼ାଇ ଚାଲିଛନ୍ତି । ଗତ ତା ୦୧/୦୬/୨୦୨୫ ରେ ସଂଘର ସଭାପତି ଶ୍ରୀ ବିଶ୍ବରଂଜନ ଦାସ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ତା ୦୯/୦୬/୨୦୨୫ ପର୍ଯ୍ୟନ୍ତ କଣ୍ଟ ଦେଇଥିଲେ । ଏହି ସମୟସୀମା ମଧ୍ୟରେ ସରକାର ଦାବିପୂରଣ ଦିଗରେ କୌଣସି ପ୍ରେରଣା ପ୍ରକାଶ ନକରିବାରୁ ସଭାପତିଙ୍କ ଆହ୍ୱାନକ୍ରମେ ୧୦/୦୬/୨୦୨୫ ରୁ ସାରା ରାଜ୍ୟରେ ରାଜ୍ୟ ସରକାରଙ୍କର ଶିକ୍ଷା ଓ ଶିକ୍ଷକ ମାରଣ ନୀତି ବିରୁଦ୍ଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଘଣ୍ଟିଆ ଧାରଣା ଚାଲିଛି । ସେହିପରି ଆଗାମୀ ଦିନରେ ପଥ ପ୍ରାନ୍ତ ସଭା ଅଧିକମାତ୍ରାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ କରାଯିବ। ଆଶାକରୁ କି ଲୋକଙ୍କ ସରକାର ଲୋକମତକୁ ସମ୍ମାନ ଦେଇ ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ନୂତନ ଅନୁଦାନ ନୀତି ପୋଷଣ କରିବେ ନଚେତ ଆଜିର ଏହି ଶାନ୍ତିପୂର୍ଣ୍ଣ ଧାରଣା ଆଗାମୀ ଦିନରେ ଆହୁରି ତୀବ୍ରତର ଏବଂ ଭୟାବହ ହେବ । ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ । ଆଜିର କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ପ୍ରଦୀପ କୁମାର ମାଝୀଙ୍କ ନେତୃତ୍ୱରେ ପ୍ରତିକାତ୍ମକଭାବେ ୧୨ଘଣ୍ଟିଆ ଧାରଣା ଜିଲ୍ଲାପାଳଙ୍କ କାଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହେଇଛି। ଏଥିରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ଯାପକ ଓ କର୍ମଚାରୀ ମାନେ ତଥା ସୁଧାଂଶୁ ଓଝା, ସୁନିଲ କୁମାର ଦାସ, ଆଶିଷ କୁମାର ପଣ୍ଡା,ନନ୍ଦିନୀ ବାରିକ, ବିକ୍ରମ ସାହୁ ପ୍ରମୁଖ ଯୋଗଦେଇ ଥିଲେ ।

May 30, 2026/
No Comments


