ଭଟଲି ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ ଅନୁଷ୍ଠିତ

ଭଟଲି (ଅଭିମନ୍ୟୁ ପଧାନ): ଓଡିଶା ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଭଟଲି କେନ୍ଦୁପତ୍ର କାର୍ଯ୍ୟାଳୟ ପରିସରରେ ଭଟଲି ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା-୨୦୨୫ ଅନୁଷ୍ଠିତ ହୋଇ ଯାଇଅଛି । ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ.କୌଟିଲ୍ୟ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାରେ ମାନ୍ୟବର ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ ମୁଖ୍ୟ ଅତିଥୀ ଭାବରେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥୀ ଶ୍ରୀ ଆଚାର୍ଯ୍ୟ ପ୍ରଥମେ ଗୋପୂଜନ କରି ପ୍ରାଣୀ ସମ୍ପଦ ମେଳାକୁ ଫିତା କାଟି ଉଦଘାଟନ କରିଥିଲେ ।

ଏହି ଅବସରରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିତ୍ୟାନନ୍ଦ ପଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେର ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ନିଗମାନନ୍ଦ ପାଢ଼ୀ ,ଜିଲ୍ଲା ମତ୍ସ୍ୟ ଅଧିକାରୀ ଶୁଭସ୍ମିତା ଘଡେଇ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ମଞ୍ଚାସୀନ ଥିଲେ । ପ୍ରଥମେ ଅତିଥିମାନଙ୍କ ଦ୍ୱାରା ପ୍ରଭୁ ଶ୍ରୀ ଦଧିବାମନଙ୍କ ପୂଜା ପୂର୍ବକ ଦିପ ପ୍ରଜ୍ଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ନିବେଦିତା ପବ୍ଲିକ ସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ନିଗମାନନ୍ଦ ପାଢ଼ୀ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ନରେନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଆଚାର୍ଯ୍ୟ ଚାଷୀମାନଙ୍କ ଉତ୍ପାଦନ ବିକାଶରେ ଯେଉଁ ସବୁ ତୃଟି ରହୁଛି ସେ ସବୁକୁ ସଠିକ ଭାବରେ ପରିଲକ୍ଷିତ କରି ନୂତନ ଜ୍ଞାନ କୌଶଳ ମାଧ୍ୟମରେ ଚାଷ କଲେ ଆହୁରି ଲାଭାନ୍ୱିତ ହୋଇପାରିବେ ବୋଲି ଉଦବୋଧନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ପ୍ରାଣୀସମ୍ପଦ ବିଭାଗରୁ ଗୋପାଳନ ପାଇଁ କାଶିପାଲିର ମାନଭଞ୍ଜନ ପଧାନ,ଗୌଡଗାଁ ର ରାଷ୍ଟ୍ରପତି ପଧାନ,ଭଟଲି ର ସ୍ୱାଧିନ ସା ଓ ମେଣ୍ଢାପାଳନ ପାଇଁ ତେଜାଗୋଲାର ନିବାସ ଭୁଏ ତଥା ମତ୍ସ୍ୟ ପୋଖରୀ ଯୋଜନା ପାଇଁ ଟୁକୁର୍ଲାର ବିଚିତ୍ରାନନ୍ଦ ମେହେର,ମାଛ ଜାଆଁଳା ଉତ୍ପାଦନ ଯୋଜନା ପାଇଁ ସୁକୁଡାର କୃଷ୍ଣଚନ୍ଦ୍ର ବନଛୋର,ମାଛ ଚାଷ ପାଇଁ କର୍ଲାଜୋରି ର ଭୀଷ୍ମଦେବ ବେହେରା ଓ ଶରଧାପାଲି ର ମାଁ ସରସ୍ୱତୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ବିଧାୟକଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ମତ୍ସ୍ୟ ବିଭାଗ,ପ୍ରାଣୀ ସମ୍ପଦ ବିଭାଗ,କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ଜଳଛାୟା ଓ ମୃତ୍ତିକା ସଂରକ୍ଷଣ ବିଭାଗ, ସମନ୍ୱିତ ଶିଶୁ ବିକାଶ ଯୋଜନା ,ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଦ୍ରବ୍ୟ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଏଲଇଡି ସ୍କ୍ରିନ ମାଧ୍ୟମରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ବାର୍ତ୍ତା ପ୍ରସାରଣ କରାଯାଇଥିଲା । ଶାନ୍ତି ବାଳିକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ନିବେଦିତା ପବ୍ଲିକ ସ୍କୁଲର ଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯଶୋବନ୍ତ ସାହୁ,ରମେଶ ବାରିକ,ସୁଶାନ୍ତ ମେହେର,ମଞ୍ଜନ ନାଏକ, ସୁବୋଧ ବାରିକ, ଗୁରୁଦତ୍ତ ସାହୁ,ଅରବିନ୍ଦ ନାୟକ,ମନୋଜ ବାରିକ,ସିଦ୍ଧାର୍ଥ ଖମାରୀ, ଲକ୍ଷ୍ମଣ ବେହେରା ପ୍ରମୁଖ ସହଯାଗ କରିଥିଲେ । ପରିଶେଷରେ ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ. କୌଟିଲ୍ୟ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।




