ନୁଆଦିଲ୍ଲୀରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରି ଗୋଲ୍ଡ ମେଡାଲ ହାସଲ କରିଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ ଅବସରରେ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ (India Trade Promotion Organization) ତରଫରୁ ଆଜି ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ନୂଆଦିଲ୍ଲୀରେ ଓଡିଶା ସରକାରଙ୍କ ପକ୍ଷରୁ ପୁରସ୍କାର ଗ୍ରହଣ କରିଛନ୍ତି ଅତିରିକ୍ତ ଆବାସିକ କମିଶନର ସୁଚରିତା ଷଡ଼ଙ୍ଗୀ ଏବଂ ଓଡ଼ିଶା ପାଭିଲିଅନ ଡାଇରେକ୍ଟର ଅଶ୍ଵିନୀ ଭୋଇ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସଫଳତା ପାଇଁ ଖୁସି ପ୍ରକାଶ କରିବା ସହିତ ଟିମ ଓଡ଼ିଶାକୁ ଅଭିନନ୍ଦନ ଓ ଧନ୍ୟବାଦ ଜଣାଇଛନ୍ତି ।ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ୪୪ତମ ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ‘ଓଡ଼ିଶା ମଣ୍ଡପ’ ସ୍ଵର୍ଣ୍ଣ ପଦକ ହାସଲ କରିଛି । ଏହି ବିଶାଳ ମେଳାରେ ଅଂଶଗ୍ରହଣ କରିଥିବା ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଙ୍କ ମଧ୍ୟରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ଏହି ପୁରସ୍କାର ମିଳିଛି । ଭାରତ ବାଣିଜ୍ୟ ପ୍ରୋତ୍ସାହନ ସଙ୍ଗଠନର ବା ଆଇଟିପିଓ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ନୀରଜ ଖରୱାଲ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ଅତିରିକ୍ତ ଆବାସିକ ଆୟୁକ୍ତ ସୁଚରିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଅବସରରେ ଓଡ଼ିଶା ମଣ୍ଡପର ନିର୍ଦ୍ଦେଶକ ଅଶ୍ୱିନୀ କୁମାର ଭୋଇ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଚଳିତ ବର୍ଷକୁ ମିଶାଇ ଓଡ଼ିଶା କ୍ରମାଗତ ଚତୁର୍ଥ ଥର ପାଇଁ ପୁରସ୍କାର ପାଇଛି । ତା’ ଭିତରେ ଓଡ଼ିଶା ଦୁଇ ଥର ସ୍ୱର୍ଣ୍ଣ ପଦକ ଜିତିଛି । ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଥିବା ‘ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା’ ୨୭ ତାରିଖରେ ଶେଷ ହୋଇଛି । ଚଳିତ ବର୍ଷ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଥିମକୁ ନେଇ ‘ଓଡ଼ିଶା ମଣ୍ଡପ’ ପ୍ରସ୍ତୁତ କରାଯାଇଥିଲା । ଏଠାରେ ଓଡ଼ିଶାର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ ସାଙ୍ଗକୁ କୃଷି, ଶିଳ୍ପ ଓ ବାଣିଜ୍ୟ ତଥା ରାଜ୍ୟର ସାମଗ୍ରିକ ବିକାଶର ଛବି ପ୍ରତିଫଳିତ ହୋଇଛି ।ଏଥର ‘ଓଡ଼ିଶା ମଣ୍ଡପ’ର ପ୍ରବେଶ ଦ୍ୱାରରେ ଶ୍ରୀମନ୍ଦିର ସିଂହଦ୍ୱାର ଏବଂ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଦର୍ଶାଉଥିବା ‘ବୋଇତ’ ଆକୃତିର ତୋରଣ ନିର୍ମାଣ ହୋଇଥିଲା । ସେହିପରି ମଣ୍ଡପ ଭିତରେ ଧଉଳିର ଶାନ୍ତିସ୍ତୂପ ଓ ଡୋକ୍ରା କାରିଗରି ସାଙ୍ଗକୁ ଆଧୁନିକ ଜାହାଜର ପ୍ରତିରୂପ ଦେଶ ବିଦେଶର ଦର୍ଶକଙ୍କୁ ଆକର୍ଷିତ କରିଥିଲା ।ଓଡ଼ିଶା ମଣ୍ଡପରେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏବଂ ସହଯୋଗୀ ସଂସ୍ଥା ପକ୍ଷରୁ ମୋଟ ୨୮ଟି ଷ୍ଟଲ କରାଯାଇଥିଲା । ଏଥିରେ ଅନନ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ସହିତ ଓରମାସ ଦ୍ୱାରା ପ୍ରସ୍ତୁତ ଗ୍ରାମୀଣ ଉତ୍ପାଦ, ସୁଭଦ୍ରା ଶକ୍ତି ମା’ଙ୍କ ହାତ ତିଆରି ସାମଗ୍ରୀ, କୋରାପୁଟ କଫି ଏବଂ ପୁଷ୍ଟିଶସ୍ୟ ଖାଦ୍ୟ ପଦାର୍ଥ ଆଦି ସ୍ଥାନ ପାଇଥିଲା । ସେହିପରି ‘ଓଡ଼ିଶା ମଣ୍ଡପ’ରେ ରାଜ୍ୟର ଅନନ୍ୟ ହସ୍ତକଳା ଓ ହସ୍ତଶିଳ୍ପ ସାମଗ୍ରୀର ଲାଇଭ ଡେମନଷ୍ଟ୍ରେସନ ଆଉ ଏକ ଆକର୍ଷଣ ପାଲଟିଥିଲା । ଏଠାରେ ଓଡ଼ିଶାର କାରିଗରମାନେ ପଟ୍ଟଚିତ୍ର, ତାରକସି, ସବାଇ ଘାସ ଓ ନଡ଼ିଆ କତାରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ । ସମୁଦାୟ ୩୧ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଯୋଗ ଦେଇଥିଲେ ।ଗୋବରରୁ ପ୍ରସ୍ତୁତ ପରିବେଶ ଅନୁକୂଳ ବିଭିନ୍ନ ରଙ୍ଗ ଓ ପ୍ରକାରର ପେଣ୍ଟସକୁ ନେଇ ଓଡ଼ିଶା ପାଭିଲିୟନ୍ ରେ ଅଂଶଗ୍ରହଣ କରିଥିବା ବରଗଡ଼ ଜିଲ୍ଲାର ଗୌମୟ ପେଣ୍ଟସ ତାଙ୍କର ସେହି ଅଭିନବ ଉପାୟ ପାଇଁ ଇତିମଧ୍ୟରେ ଅନେକ ପ୍ରଶଂସା ସାଉଁଣ୍ଟିବା ସଙ୍ଗେ ସଙ୍ଗେ ତ୍ରିପୁରାର ଶିଳ୍ପ ବିଭାଗ, ରୋହତକ ହରିୟାନାର ଅରିହନ୍ତ ପେଣ୍ଟସ୍, ନୂଆଦିଲ୍ଲୀର ଏ.ଏଲ୍.ଏମ୍. ଏଣ୍ଟରପ୍ରାଇଜେସ୍ ଓ ଆର୍.କେ.ଜି.ଡି. ଏଣ୍ଟରପ୍ରାଇଜେସ୍ ସମେତ ଅନ୍ୟ କେତେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ସହିତ ସଫଳ ବାଣିଜ୍ୟିକ ଆଲୋଚନା କରିଛନ୍ତି । ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଓଡିଶା ରାଜ୍ୟ ତାଳଗୁଡ ସମବାୟ ସଂଘ ଲିଃ. ତରଫରୁ ଉପଲବ୍ଧ ହେଉଥିବା ସ୍ୱାସ୍ଥ୍ୟ ଉପଯୋଗୀ ଖଜୁରୀଗୁଡ଼କୁ ଜନସାଧାରଣ ବହୁଳ ପରିମାଣରେ କ୍ରୟ କରିଛନ୍ତି ।ସେହିପରି ତାଳପତ୍ରରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ମଧ୍ୟ କିଣିବାକୁ ଆଗ୍ରହ ପ୍ରକାଶ କରିଥିଲେ । ବ୍ରହ୍ମପୁରର ଇଲେଟ କ୍ରଞ୍ଚିସ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ, ପାୱାର ଗ୍ରୀଡ଼ କର୍ପୋରେସନ, ନୂଆଦିଲ୍ଲୀର ଅଶୋକା ହୋଟେଲ ଓ ନଟ ସେକ ଆଦିଙ୍କ ଭଳି ବୃହତ ସଂସ୍ଥାଙ୍କ ସହିତ ବ୍ୟବସାୟିକ ବାର୍ତ୍ତାଳାପ କରିଛନ୍ତି । ଯୁଗୋପଯୋଗୀ ଡିଜାଇନ ବିଶିଷ୍ଟ ରୂପା ତାରକସି ଆଭୂଷଣ ସମ୍ଭାରକୁ ନେଇ ଅଂଶଗ୍ରହଣ କରିଥିବା ଭୁବନେଶ୍ଵରର କ୍ରାଫ୍ଟ ଇଣ୍ଡିକା ଷ୍ଟଲ ସମସ୍ତ ବର୍ଗର ମହିଳାମାନଙ୍କ ପ୍ରିୟପାତ୍ର ହୋଇଛି । ଏମ୍ଏସ୍ଏମ୍ଇ ବିଭାଗର ଉପରୋକ୍ତ ୪ଟି ଷ୍ଟଲ ମଧ୍ୟରୁ ବରଗଡ଼ ଜିଲ୍ଲାର ଗୌମୟ ପେଣ୍ଟସ କେବଳ ଉତ୍ପାଦ ପ୍ରଦର୍ଶନ ଭିତ୍ତିକ ହୋଇଥିବା ବେଳେ ୨୪ ତାରିଖ ସୁଦ୍ଧା ଅନ୍ୟ ୩ଟି ଷ୍ଟଲ ୩ ଲକ୍ଷରୁ ଅଧିକ ଟଙ୍କାର ବ୍ୟବସାୟ କରିଛନ୍ତି ।



