ଆର୍ଥିକ ସାକ୍ଷରତା ଏବଂ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାର ସମ୍ୱନ୍ଧୀୟ ଜିଲ୍ଲା ସ୍ତରୀୟ କର୍ମଶାଳା
ଅନୁଗୋଳ, ତା.୪ /୧୨ – ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ମିଳିତ ସହଯୋଗରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅଧୀନରେ ଆର୍ଥିକ ସାକ୍ଷରତା ଏବଂ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଧିକାର ସହିତ ପୋଷ୍ୟସନ୍ତାନ ଗ୍ରହଣ ସଚେତନତା ସମ୍ୱନ୍ଧରେ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳାଙ୍କ ସୁରକ୍ଷା ତଥା ଦକ୍ଷତା ବିକାଶ ଉପରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ସାହୁ ସମାଜରେ ମହିଳାଙ୍କ ସ୍ଥିତି, ପ୍ରଗତି, ବିକାଶ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଦକ୍ଷତା ବିକାଶ ନିୟୋଜନ ଅଧିକାରୀ ଶ୍ରୀ ଦେବାଶିଷ ସାହୁ ମହିଳା ଏବଂ କିଶୋରୀମାନଙ୍କ ପାଇଁ ଥିବା ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିବା ସହ କିପରି ସେମାନେ ଅତି ସହଜରେ ରୋଜଗାର କ୍ଷମ ହୋଇପାରିବେ ତାହା ଉଦାହରଣ ଭିଡିଓ ମାଧ୍ୟମରେ ଦର୍ଶାଇ ଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରା ପରିତ୍ୟକ୍ତ ଶିଶୁର ସୁରକ୍ଷିତ ଉଦ୍ଧାର ତଥା ନ୍ୟାୟଗତ ପୋଷ୍ୟସନ୍ତାନ ଗ୍ରହଣ ସମ୍ପର୍କରେ ସଚେତନ କରାଇଥିଲେ। ଏହି କର୍ମଶାଳାରେ ଶିଶୁମଙ୍ଗଳ କମିଟିର ସଦସ୍ୟ ଶ୍ରୀ କଲ୍ୟାଣ କିଶୋର ମହାନ୍ତି ମହିଳା ସାମାଜିକ ଏବଂ ରାଜନୈତିକ ଅଧିକାର ବିଷୟରେ କହିଥିଲେ । ଏଲ.ଡ଼ି. ଏମ୍ ଶ୍ରୀ ଚୌଧୁରୀ ଦୀପକ ମିଶ୍ର ଆର୍ଥିକ ସାକ୍ଷରତା ଏବଂ ସଶକ୍ତିକରଣ, ବ୍ୟାଙ୍କିଙ୍ଗ ମୌଳିକତା ସହ PMJJBY, PMSBY, PMJDY, ସୁକନ୍ୟା ସମୃଦ୍ଧି ଯୋଜନା ଓ ଡିଜିଟାଲ୍ ଆର୍ଥିକ ଉପକରଣ ଉପରେ ଅବଗତ କରାଇଥିଲେ କର୍ମଶାଳା ଶେଷରେ କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଏବଂ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ନିରୂପମା ପାଣି, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁଶ୍ରୀ ସନମସ୍ମିତା ସାହୁ, ବଡହିଂସର ସରପଞ୍ଚ ଶ୍ରୀ ହୃଷିକେଶ ପ୍ରଧାନ, ଶଙ୍ଖପୁର ସରପଞ୍ଚ ଶ୍ରୀମତୀ ଜ୍ୟୋତିର୍ମୟୀ ଦେହୁରୀଙ୍କ ସମେତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ,ଶିକ୍ଷୟତ୍ରୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ବୟଂ ସହାୟିକା ଗୋଷ୍ଠୀ ଓ କିଶୋର ବାଳିକା ମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ I ମିଶନ ହବ୍ ର କର୍ମକର୍ତ୍ତା ଗଣ ଏହି କର୍ମଶାଳା କୁ ପରିଚାଳନା କରିଥିଲେ I




