*କଣିହାଁ ତାଳଚେର ବିକାଶ ମଞ୍ଚ ତରଫରୁ,ରାସ୍ତା ନିର୍ମାଣକୁ ନେଇ ଗଣ ଆନ୍ଦୋଳନ ଆହ୍ୱାନ…*

କଣିହାଁ ଏକ ସଂଗ୍ରାମ ମାଟି ଭାବେ ଭାରତବର୍ଷରେ ପରିଚିତ । ଏହି ମାଟିରେ ବୀରପୁତ୍ର ପଞ୍ଚଶଖା ଜନ୍ମଗ୍ରହଣ କରିଥିଲେ । ସେଥିମଧ୍ୟରୁ ସ୍ଵର୍ଗତ ପବିତ୍ର ମୋହନ ପ୍ରଧାନ, ଦାସରଥୀ ପାଣି, କୃତୀବାସ ରଥ, ମାଗୁଣୀ ପ୍ରଧାନ, ବିଚ୍ଛନ୍ଦ ପ୍ରଧାନ, ଗୌରୀଶଙ୍କର ପ୍ରଧାନ, ବିକା ନାଏକ ପ୍ରମୁଖ ବୀରପୁତ୍ର ମାନେ ଇଂରେଜ ଶାସନକୁ ପ୍ରତିବାଦ୍ କରି ଆପ୍ରାଣ ଉଦ୍ୟମ ଜାରିରଖି କଣିହାଁ ଓ ତାଳଚେରରୁ ଇଂରେଜ୍ ମାନଙ୍କୁ ହଟାଇବାରେ ସଫଳ ହୋଇଥିଲେ ଏବଂ ଆଣି ଦେଇଥିଲେ ସ୍ଵାଧୀନତା । ଏହା ତାଳଚେର ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ବର୍ତ୍ତମାନ ତାଳଚେର ଓଡ଼ିଶା ମାନଚିତ୍ରରୁ ନିଶ୍ଚିହ୍ନ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ,ଏଠାରେ ଖଣିଖାଦାନ ଭରପୁର ରହିଥିବା ବେଳେ ଏଠାରୁ କେନ୍ଦ୍ର ଓ ରାଜ୍ୟକୁ ପ୍ରଚୁର ରାଜସ୍ୱ ଯାଇଥାଏ । ମାତ୍ର କଣିହାଁ ଓ ତାଳଚେରବାସୀ ଦେଶର ବିକାଶ ଦିଗରେ ଆଜି ନିଜସ୍ଵ ପୈତୃକ ଭିଟ୍ଟାମାଟି ହରାଇ ସର୍ବସ୍ୱାନ୍ତ ହୋଇଥିବା ବେଳେ ସେମାନେ ଭାଗ୍ୟକୁ ଆଦରି ଦୁଃଖ ଓ ଦୂର୍ଦ୍ଦଶାର ସହ ଆଜିର ଦିନରେ କାଳତିପାତ କରୁଛନ୍ତି । ତେଣୁ ପୂର୍ବ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇ ଆମେ ମିଳିମିଶି ନିଜର ହକ୍ ପାଇଁ ସଂଗ୍ରାମ ଜାରି ରଖିବା । ତାଳଚେର ଉପଖଣ୍ଡ କଣିହାଁ ଠାରୁ ଏନ୍ଟିପିସି ଦେଇ ଗୋଡ଼ିବନ୍ଧ ଓ ତାଳଚେର ଦେଇ ବଅଁରପାଳ ଯାଇଥିବା ରାସ୍ତାଟି ଅତିସଂକିର୍ଣ୍ଣ ଓ ଜେଆଇପିଏଲ୍, ଏନ୍ଟିପିସି, କଣିହାଁ କୋଇଲା ଖଣିର ଅହରହ ହଜାର ହଜାର ସଂଖ୍ୟକ କୋଇଲା ଓ ପାଉଁଶ ବୋଝେଇ ଟ୍ରକ ଚଳପ୍ରଚଳ କରୁଥିବାରୁ ଦୈନନ୍ଦିନ ଦୁର୍ଘଟଣା ଘଟି ଧନଜୀବନ ଚାଲିଯାଉଥିବା ବେଳେ ରାସ୍ତାରେ ପ୍ରଚୁର ଧୂଳି ନାକ, କାନ, ପାଟିରେ ପଶି ବିଭିନ୍ନ ଦୂରାରୋଗରେ ପିଡ଼ୀତ ହୋଇ ଅଂଚଳବାସୀ ମୃତ୍ୟୁବରଣ କରୁଛନ୍ତି । ତେଣୁ ଆଜି ସମୟ ଆସିଛି, ଆସନ୍ତୁ ସମସ୍ତେ ମିଳିମିଶି ମଞ୍ଚର ସଭାପତି ଡଃ ଦେବେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଆଗାମୀ ୨୩/୧୨/୨୦୨୫ରିଖ ସକାଳ ୮ଘଟିକା ଠାରୁ ସନ୍ଧ୍ୟା ୬ଘଟିକା ପର୍ଯ୍ୟନ୍ତ ଏନ୍ଟିପିସି ଛକ ଠାରେ ଶାନ୍ତିପୂର୍ଣ ଗଣଧାରଣା ଦେବା ପାଇଁ ଆହ୍ୱାନ କରାଯାଉଛି ।
ଅନୁଗୁଳରୁ ବ୍ୟୁରୋ ରିପୋର୍ଟ୍



