ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଗୋମାଫିଆଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ।

କେନ୍ଦୁଝରଜିଲ୍ଲା ପୋଲିସର ବଡ଼ ସଫଳତା, ଗୋ-ମାଫିଆଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ , ବଡ଼ ପରିମାଣରେ ନଗଦ, ସୁନା, ଚାନ୍ଦି ଓ ଯାନବାହନ ଜବତ। ଏଠାରେ ଗୋ-ମାଫିଆଙ୍କ ବିରୋଧରେ ଜିଲ୍ଲା ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ନିତିନ କୁଶଲକର କହିଛନ୍ତି ଯେ, ପାଖାପାଖି ୧୦୦ କୋଟି ଟଙ୍କାର ଅବୈଧ ସମ୍ପତ୍ତି ଜବତ ହେବାର ଅନୁମାନ କରାଯାଉଛି । ଆରକ୍ଷୀ ଅଧିକ୍ଷକଙ୍କ କହିବା ଅନୁସାରେ, ଗୋଟିଏ ବର୍ଷ ପୂର୍ବେ ଗୋ-ମାଫିଆମାନେ ପୋଲିସ ଯାନ ଉପରେ ଆକ୍ରମଣ କରି ପୋଲିସକର୍ମୀଙ୍କ ଉପରେ ଗାଡ଼ି ଚଢ଼ାଇ ପଳାଇଥିଲେ। ଏହି ଘଟଣା ପରେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସିଦ୍ଧାନ୍ତ ନିଆଯାଇଥିଲା।

ଭାରତୀୟ ନ୍ୟାୟ ସଂହିତାର ଧାରା ୧୧୨ ଏବଂ ସଂଗଠିତ ଅପରାଧ ଆଇନ ଅନୁସାରେ ଗୋ-ମାଫିଆଙ୍କ ବିରୋଧରେ ୨୦ରୁ ଅଧିକ ମାମଲା ରେଜିଷ୍ଟର ହୋଇଛି। ଭାରତ ସରକାରଙ୍କ ନେଟଗ୍ରିଡ୍ (NATGRID) ଅନଲାଇନ୍ ଆପ୍ରୁ ମିଳିଥିବା ସୂଚନା ଆଧାରରେ ପୋଲିସ ଜାଣିପାରିଛି ଯେ ଗୋମାଫିଆ ମାନେ ଅବୈଧ ଗୋ-ତସ୍କରି ମାଧ୍ୟମରେ ଭାରି ପରିମାଣର ସମ୍ପତ୍ତି ଅର୍ଜନ କରିଛନ୍ତି। ଗୋରକ୍ଷା ଅଭିଯାନ ପରିପ୍ରେକ୍ଷୀରେ ୫ଟି ଜିଲ୍ଲାରେ ଛାପାମାରି କରାଯାଇ ୯ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୪୦ ଲକ୍ଷ ନଗଦ ଟଙ୍କା, ୧କିଲୋ ଗ୍ରାମ ସୁନା, ୩ କିଲୋଗ୍ରାମ ଚାନ୍ଦି, ୧୧ଟି ଚାରିଚକିଆ ଯାନ, ୧୩ଟି ଦୁଇଚକିଆ ଯାନ, ମୋବାଇଲ୍ ଫୋନ୍, ଜମିର କାଗଜପତ୍ର ଓ ବ୍ୟାଙ୍କ ସମ୍ପର୍କିତ ଦଲିଲପତ୍ର ଜବତ କରିଛି। ଆଗାମୀ ଦିନରେ ଏହିପରି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ସୂଚନା ଦେଉଛନ୍ତି କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନୀତିନ କୁଶଳକର।


କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



