*ପି ଏମ୍ ଶ୍ରୀ ଜନତା ସରକାରୀ ହାଇସ୍କୁଲ, ଭୁକ୍ତାରେ ୪ର୍ଥ ଅଭିଭାବକ,ଶିକ୍ଷକ ତଥା ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟିର ବୈଠକ ଅନୁଷ୍ଠିତ*
ବରଗଡ଼::୧୭/୦୧(ପବିତ୍ର ମେହେର)::ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ, ଭୁକ୍ତାରେ ଚତୁର୍ଥ ଅଭିଭାବକ,ଶିକ୍ଷକ ତଥା ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି ଯାହାକି ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ସରକାରଙ୍କ ଏକ ପ୍ରୟାସ ଅଟେ।ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁର୍ଗା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ ଯୋଗ ଦେଇଥିଲେ।ପ୍ରାରମ୍ଭରେ ବିଜ୍ଞାନ ଶିକ୍ଷକ ସଞ୍ଜୟ ଖମାରୀ ଅଭିଭାବକମାନଙ୍କୁ ସ୍ବାଗତ କରିବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ଡ୍ରପ ଆଉଟ୍ ରୋକିବା ପାଇଁ ସମସ୍ତେ ପ୍ରୟାସ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ।ଏହି ବୈଠକରେ ସମାପ୍ତି ସୂଚକ ଆକଳନ- ୧ ର ଉପଲବଧିକୁ ଅଭିଭାବକମାନଙ୍କ ନିକଟରେ ଉପସ୍ଥାପନ,ସମାପ୍ତି ସୂଚକ ଆକଳନ- ୨ ଏବଂ ଆଗାମୀ ବାର୍ଷିକ ପରୀକ୍ଷାରେ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏଥିରେ ପଢ଼ିବା ଗଢ଼ିବା ଓଡ଼ିଶା ଅଭିଯାନ – ପଠନ ପ୍ରୋତ୍ସାହନ ଅଭିଯାନ,ବାଲ୍ୟ ବିବାହ ନିଷେଧ ଆଇନ୍ -୨୦୦୬,ପରୀକ୍ଷା ପେ ଚର୍ଚ୍ଚା – ୨୦୨୬, ଡ୍ରପ ଆଉଟର ନିରାକରଣ, ନିମିତ୍ତ ଛାତ୍ରଛାତ୍ରୀଙ୍କ ପ୍ରଗତି ପରୀକ୍ଷଣ, ଡିଜିଟାଲ ଶିକ୍ଷା,ସମଗ୍ର ଶିକ୍ଷା ଯୋଜନାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ଦିଆଯାଉଥିବା ସୁବିଧା ସୁଯୋଗ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଶିକ୍ଷକଙ୍କ ଦାୟିତ୍ୱ,ବିଦ୍ୟାଳୟ ପରିବେଶକୁ ବୁଲା କୁକୁର ମୁକ୍ତ କରିବା ଓ ବୁଲା କୁକୁର କାମୁଡା ରୋକିବା ପାଇଁ କି କି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ସେ ସଂପର୍କରେ ବିଶଦ ଭାବରେ ଆଲୋଚନା ହୋଇଥଲା।ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଅଭିଭାବକମାନଙ୍କଠାରୁ ବିଦ୍ୟାଳୟ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଗଠନ ମୂଳକ ପ୍ରସ୍ତାବ ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସୁବାସ ଚନ୍ଦ୍ର ଖମାରୀ,ଅଙ୍କିତ ମହନ୍ତଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।ଶେଷରେ ଶିକ୍ଷୟିତ୍ରୀ ସୌଦାମିନୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।




