କଙ୍କଡାହାଡ଼ ବ୍ଲକରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ
କଙ୍କଡାହାଡ଼:

ଭାରତ ସରକାରଙ୍କ ଆକାଙ୍କ୍ଷୀ ବ୍ଲକ କାର୍ଯ୍ୟକ୍ରମ ସହ ସମନ୍ୱୟ ରଖି, ନାବ ଲିମିଟେଡ୍, ଖରଗପ୍ରସାଦ ତାଙ୍କର ସିଏସଆର୍ (CSR) ପଦକ୍ଷେପ ଅନ୍ତର୍ଗତ ଜିଲ୍ଲା ପ୍ରଶାସନ ସହଯୋଗରେ କଙ୍କଡାହାଡ଼ ବ୍ଲକର ବାମ ଗ୍ରାମ ଓ ମାକୁଆକାଟେନି ଗ୍ରାମରେ କ୍ରମେ ୩୧ ଜାନୁଆରୀ ଓ ୧ ଫେବୃଆରୀ ୨୦୨୬ ତାରିଖରେ ଦୁଇଟି ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା।
ଏହି ସ୍ୱାସ୍ଥ୍ୟ ଶିବିରଗୁଡ଼ିକରେ ମେଡିସିନ୍ ବିଶେଷଜ୍ଞ, ଶିଶୁରୋଗ ବିଶେଷଜ୍ଞ, ନାରୀରୋଗ ବିଶେଷଜ୍ଞ ଓ ଫିଜିଓଥେରାପିଷ୍ଟ ମାନେ ଉପସ୍ଥିତ ରହି ନିଶୁଳ୍କ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥିଲେ। ସରକାରୀ ଅଧିକାରୀ ଶ୍ରୀମତୀ ସୁଚିସ୍ମିତା ନାୟକ, ABDO, କଙ୍କଡାହାଡ଼ ଓ ଶ୍ରୀମତୀ ସନ୍ଦୀପ୍ତା ସାହୁ, ABF ଶିବିରଗୁଡ଼ିକୁ ନିରୀକ୍ଷଣ କରିବାକୁ ଉପସ୍ଥିତ ଥିଲେ।
ବାମ ଗ୍ରାମରେ ୩୨୭ ଜଣ ଏବଂ ମାକୁଆକାଟେନି ଗ୍ରାମରେ ୪୮୮ ଜଣ ରୋଗୀ ଏହି ଶିବିରରୁ ଲାଭାନ୍ୱିତ ହୋଇଥିଲେ। ସମସ୍ତ ରୋଗୀଙ୍କୁ ନିଶୁଳ୍କ ଚିକିତ୍ସା ପରାମର୍ଶ ଓ ଔଷଧ ପ୍ରଦାନ କରାଯାଇଥିଲା। PRIA ଏନଜିଓ ଦ୍ୱାରା ଫିଜିଓଥେରାପି ସେବା ଏବଂ MYHEART ଏନଜିଓ ଦ୍ୱାରା ଲଜିଷ୍ଟିକ୍ସ ଓ ଶିବିର ପରିଚାଳନାରେ ସହଯୋଗ ଦିଆଯାଇଥିଲା।
ଏହି ଅବସରରେ ନାଵ ଲିମିଟେଡ୍ର ସିଏସଆର୍ ମୁଖ୍ୟ ଶ୍ରୀ ଅସୀତ କୁମାର ବିଶୋଇ କହିଥିଲେ ଯେ, ସଂସ୍ଥା ସ୍ୱାସ୍ଥ୍ୟ, ଶିକ୍ଷା, ଜୀବିକା ଓ ଗ୍ରାମୀଣ ଢାଞ୍ଚା ଉନ୍ନୟନ କ୍ଷେତ୍ରରେ ସମୁଦାୟ ସେବା ପାଇଁ ସଦା ପ୍ରତିବଦ୍ଧ ଏବଂ ଆକାଙ୍କ୍ଷୀ ବ୍ଲକ କାର୍ଯ୍ୟକ୍ରମ ସହ ସମନ୍ୱୟ ରଖି ଆଗାମୀ ଦିନରେ ଅଧିକ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିବ।




