ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜାତୀୟ ବିଜ୍ଞାନ ଦିବସ–୨୦୨୬ ପାଳିତ
ଢେଙ୍କାନାଳ, ଫେବୃଆରୀ ୨୮, ୨୦୨୬:
ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦ (NCSM)ର ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଫେବୃଆରୀ ୨୮, ୨୦୨୬ ତାରିଖରେ “ବିଜ୍ଞାନରେ ନାରୀ: ବିକଶିତ ଭାରତର ପ୍ରେରକ ଶକ୍ତି” ବିଷୟବସ୍ତୁ ଆଧାରିତ ଜାତୀୟ ବିଜ୍ଞାନ ଦିବସ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଯାଇଅଛି।
ଫେବୃଆରୀ ତା୨୨ ରୁ ୨୮ରିଖ ପର୍ଯ୍ୟନ୍ତ ଆୟୋଜିତ ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଓପନ୍ ହାଉସ୍ କ୍ୱିଜ୍, ବିଶେଷ ବିଜ୍ଞାନ ଶୋ, ଓରିଗାମି କର୍ମଶାଳା, ଜଳ ରକେଟ୍ ପ୍ରଦର୍ଶନ, ସାର୍ ସି.ଭି. ରମଣ ସ୍ମୃତି ବ୍ୟାଖ୍ୟାନ ଏବଂ ଜିଲ୍ଲାର କିଛି ବିଶେଷ ଶିଶୁମାନଙ୍କ ପାଇଁ ଭ୍ରମଣ ଓ ‘ବିଜ୍ଞାନ ବନାମ ଚମତ୍କାର’ ବିଶେଷ ଶୋ ଆଦି ଆୟୋଜିତ ହୋଇଥିଲା।
ଏହି ଅବସରରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ଶ୍ରୀ ଏମ୍.ଏମ୍.ରାଉତ ସମସ୍ତ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ଵାଗତ କରିଥିଲେ ଏବଂ ଜାତୀୟ ବିଜ୍ଞାନ ଦିବସର ଗୁରୁତ୍ଵ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ସେ ମଧ୍ୟ କହିଥିଲେ ଯେ “ଜାତୀୟ ବିଜ୍ଞାନ ଦିବସ କେବଳ ସIର୍ ସି.ଭି. ରମଣଙ୍କ ଐତିହ୍ୟକୁ ସ୍ମରଣ କରିବା ମାତ୍ର ନୁହେଁ, ବରଂ ବୈଜ୍ଞାନିକ ଚିନ୍ତାଧାରା ଏକ ପ୍ରଗତିଶୀଳ ଜାତିର ଭିତ୍ତି ବୋଲି ସ୍ମରଣ କରାଇଥାଏ। ଏହି ବର୍ଷର ବିଷୟବସ୍ତୁ, ବିଜ୍ଞାନରେ ମହିଳା: ବିକଶିତ ଭାରତର ପ୍ରେରକ ଶକ୍ତି ମାଧ୍ୟମରେ, ଆମେ ଯୁବ ମାନଙ୍କୁ, ବିଶେଷକରି କନ୍ୟାମାନଙ୍କୁ ଭାରତର ନବସୃଜନ ଏବଂ ଉତ୍କର୍ଷ ଯାତ୍ରାରେ ଅର୍ଥପୂର୍ଣ୍ଣ ଯୋଗଦାନ ଓ ସଶକ୍ତ କରିବା ପାଇଁ ପ୍ରେରିତ କରୁଛୁ।“
କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ସହଯୋଗୀ ପ୍ରଫେସର କେ.ଏସ.କେ. ଭରଦ୍ୱାଜ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଜ୍ଞାନ ଉଚ୍ଚ ନୈତିକତା ଏବଂ ମାନବତା ସହିତ ଆସେ। ବିଜ୍ଞାନ ହେଉଛି ଏକ ଆଧୁନିକ ଚିନ୍ତାଧାରା, ଯେଉଁଠାରେ ଜଣେ ଆଧୁନିକ ମଣିଷ ସ୍ଥାୟୀ ବିକାଶ କରିବ ଯାହା ଦ୍ଵାରା ଆମର ନିଜସ୍ୱ ସମାଜକୁ ଉଚ୍ଚତର ସ୍ତରରେ ନିର୍ମାଣ କରିବାରେ ସହାୟକ ହେବ।”
ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଢେଙ୍କାନାଳ, ଢେଙ୍କାନାଳ ମହିଳା ମହାବିଦ୍ୟାଳୟ, ଢେଙ୍କାନାଳ, ପି.ଏମ୍. ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଢେଙ୍କାନାଳ ଏବଂ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ ।
ଏହି ଜାତୀୟ ବିଜ୍ଞାନ ଦିବସ ସମାପନୀ ସମାରୋହରେ ସପ୍ତାହବ୍ୟାପୀ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପ୍ରମାଣପତ୍ର, ପଦକ ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଶିକ୍ଷା ସହାୟକ ଶ୍ରୀ ଶଙ୍ଖର ଗୁରୁଙ୍ଗଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।



