ଓଡ଼ିଶାର କଳା, ସଂସ୍କୃତିରେ ହିଙ୍ଗୁଳା ଲୋକ ମହୋତ୍ସବ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି
ତାଳଚେର, ୦୩/୦୪ ତାଳଚେର ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠରେ ଚାଲିଥିବା ୨୨ତମ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଏମ୍ସିଏଲ୍ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ଅଶୋକ କୁମାର ଧଳ ଯୋଗ ଦାନ କରି ପ୍ରଦୀପ ପ୍ରଜ୍ଜଳନପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ତାଳଚେର ଉପଜିଲ୍ଲାପାଳ ତଥା ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡ଼ର ମ୍ୟାନେଜିଂ ଟ୍ରଷ୍ଟି ଆଶିଷ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଏମ୍ସିଏଲ୍ ହିଙ୍ଗୁଳା କ୍ଷେତ୍ରର ମହାପ୍ରବନ୍ଧକ ଏସ୍.ଭି.ଯୋଶୀ, ଲିଙ୍ଗରାଜ କ୍ଷେତ୍ରର ମହାପ୍ରବନ୍ଧକ ସୁବ୍ରତ ବିଶ୍ୱାଳ, ଭୁବନେଶ୍ୱରୀ କ୍ଷେତ୍ରର ମହାପ୍ରବନ୍ଧକ ଅଜୟ କୁମାର ସିଂହ, ଭରତପୁର କ୍ଷେତ୍ରର ମହାପ୍ରବନ୍ଧକ ଅକ୍ଷୟ କୁମାର ଦାଶ, ତାଳଚେର କ୍ଷେତ୍ରର ମହାପ୍ରବନ୍ଧକ କେ.ବି.ଚୌଧୁରୀ, ସେଟ୍ରାାଂଲ ୱାର୍କସପର ମହାପ୍ରବନ୍ଧକ ଆର.ଆର.ନାୟକ, ସୁଭଦ୍ରା କ୍ଷେତ୍ରର ମହାପ୍ରବନ୍ଧକ ଏସ.ଏସ.ସାଲୁଙ୍କେ ଓ ତାଳଚେର ଏସ୍ଡିପିଓ ଭରତ ଚନ୍ଦ୍ର ସାହୁ ପ୍ରମୁଖ ମଚାଂସୀନ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଧଳ ନିଜ ଅଭିଭାଷଣରେ ମା’ ହିଙ୍ଗୁଳାଙ୍କ ଆଶୀର୍ବାଦରୁ ମା’ଙ୍କ ଯାତ୍ରା ଓ ଲୋକ ମହୋତ୍ସବ ଦିନକୁ ଦିନ ଭବ୍ୟ ଓ ଆକର୍ଷଣୀୟ ହେଉଛି । ହିଙ୍ଗୁଳା ପୀଠର ଉନ୍ନତି ପାଇଁ ଏମ୍ସିଏଲ୍ ସଂକଳ୍ପବଦ୍ଧ ଓ ଏଥିପାଇଁ ସମସ୍ତ ପ୍ରକାର ସହାୟତା କରାଯିବ ବୋଲି ସେ କହିଥିଲେ । ଓଡ଼ିଶାର କଳା, ସଂସ୍କୃତିର ପ୍ରଚାର,ପ୍ରସାରରରେ ହିଙ୍ଗୁଳା ଲୋକ ମହୋତ୍ସବ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି ସେ ମତବ୍ୟକ୍ତ କରିଥିଲେ । ଏହାସହିତ ନୃତ୍ୟଗୁରୁ ସୋନାକ୍ଷୀ ଦାସଙ୍କ ନିର୍ଦ୍ଦେଶିତ ତଥା ଅନୁଗୋଳର ନୃତ୍ୟମ୍ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ଉଠ କଙ୍କାଳ…ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା । ସେହିପରି ଜଟଣୀର ନୀଳଶୈଳ ନୃତ୍ୟାଞ୍ଜଳି ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ମା ହିଙ୍ଗୁଳା ନୃତ୍ୟ, ପ୍ରୀତି ଡ୍ୟାନ୍ସ ଗ୍ରୁପର କଳାକାରମାନଙ୍କ ଦ୍ୱାରା ଆଦିବାସୀ ନୃତ୍ୟ ଓ ଅନୁଗୋଳ ଆଦୃତା ଶିଶୁ ସଦନର ଶିଶୁ କଳାକାରମାନଙ୍କ ଦ୍ୱାରା ରାଧା କୃଷ୍ଣ ନୃତ୍ୟ ଦର୍ଶକମାନଙ୍କୁ ଆକର୍ଷିତ କରିଥିଲା । ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଓ ସାଥୀମାନଙ୍କ ଦ୍ୱାରା ଚିତାକର୍ଷକ ଭଜନ ପରିବେଷଣ ଦର୍ଶକମାନଙ୍କୁ ବିମୋହିତ କରିଥିଲା ।



