ଅନୁଗୋଳ ଜିଲ୍ଲାରେ “ସକ୍ଷମ” ମୂଲ୍ୟାଙ୍କନ କାର୍ଯ୍ୟକ୍ରମ ସମ୍ପନ୍ନ

ଅନୁଗୋଳ,୨୨.୦୪ : ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଗୋଳ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଏକ ଅଭିନବ ପ୍ରୟାସ “ସକ୍ଷମ ମୂଲ୍ୟାଙ୍କନ କାର୍ଯ୍ୟକ୍ରମ” ଆରମ୍ଭ ହୋଇଛି। ଏହି ଅଭିଯାନ ଅଧୀନରେ ଜିଲ୍ଲାର ସମସ୍ତ ୮ଟି ବ୍ଲକରେ ପ୍ରଥମ ପର୍ଯ୍ୟାୟ ଅଭିଭାବକ-ଶିକ୍ଷକ ବୈଠକ (PTM) ସଫଳତାର ସହ ସମ୍ପନ୍ନ ହୋଇଯାଇଛି।

ବୈଠକରେ ପ୍ରଥମଥର ପାଇଁ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଫଳାଫଳ ଆଧାରିତ ସ୍କୁଲସ୍ତରର ରିପୋର୍ଟ କାର୍ଡ ସିଧାସଳଖ ଅଭିଭାବକମାନଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାର ସମସ୍ତ ୧୩୬୨ଟି ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ୫ମ ଓ ୮ମ ଶ୍ରେଣୀରେ ପଢୁଥିବା ପ୍ରାୟ ୩୦,୦୦୦ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି ବୈଠକରେ ଯୋଗ ଦେଇଥିଲେ । ପ୍ରକାଶଯୋଗ୍ୟ ଯେ, ଏହି ସକ୍ଷମ ମୂଲ୍ୟାଙ୍କନ ଏକ ଦକ୍ଷତା-ଆଧାରିତ ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ପ୍ରଣାଳୀ, ଯାହାର ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀମାନେ ନିଜ ଶ୍ରେଣୀ ଅନୁଯାୟୀ ଆବଶ୍ୟକ ମୂଳ ଧାରଣାଗୁଡ଼ିକ ବାବଦରେ କେତେଦୂର ଅବଗତ ଅଛନ୍ତି ସେ ସମ୍ପର୍କରେ ଯାଞ୍ଚ କରିବା ଏବଂ ସେହି ଅନୁଯାୟୀ ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀଙ୍କୁ ବୈଷୟିକ ପରାମର୍ଶ ଓ ତାଲିମ ଯୋଗାଇଦେବା । ଏହି କାର୍ଯ୍ଯକ୍ରମରେ ଅଭିଭାବକମାନଙ୍କୁ ସରଳ ଏବଂ ସହଜରେ ବୁଝିପାରିବା ଭଳି ରିପୋର୍ଟ କାର୍ଡ ଯୋଗାଇ ଦିଆଯାଇଥିଲା । ଯାହା ମାଧ୍ୟମରେ ସେମାନେ ନିଜ ସନ୍ତାନମାନଙ୍କ ପାରଦର୍ଶିତା ସ୍ପଷ୍ଟ ଭାବରେ ହୃଦବୋଧ କରିପାରିବେ । ଏହି ପଦକ୍ଷେପଟି ଜାତୀୟ ଶିକ୍ଷା ନୀତି ୨୦୨୦ ସହ ସମନ୍ୱୟ ରଖି ଜିଲ୍ଲାରେ ପ୍ରଥମଥର ପାଇଁ ପରୀକ୍ଷାମୂଳକ ଭାବରେ ଆରମ୍ଭ କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ପାରଦର୍ଶିତାକୁ ନିୟମିତ ନିରୀକ୍ଷଣ କରାଯାଇ ତଦନୁଯାୟୀ ବିଦ୍ୟାଳୟର ଉତ୍ତରଦାୟିତ୍ଵକୁ ସୁନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ ।

ଅଭିଭାବକମାନଙ୍କୁ ସହଜରେ ବୁଝାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ସ୍ୱତନ୍ତ୍ର ସଚେତନତା ଚଳଚ୍ଚିତ୍ର ଓ ବ୍ୟାଖ୍ୟାତ୍ମକ ଭିଡିଓ ପ୍ରଦର୍ଶିତ କରାଯାଇଥିଲା, ଯାହା ବେଶ ପ୍ରଶଂସିତ ହୋଇଛି। ଏହି କାର୍ଯ୍ଯକ୍ରମର ସଫଳ ରୂପାୟନ ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ସାହୁ ସମସ୍ତ ଜନସାଧାରଣ, ଗଣମାଧ୍ୟମ ପ୍ରତିନିଧି, ଶିକ୍ଷାବିତ, ଅଭିଭାକମାନଙ୍କ ସହଯୋଗ କାମନା କରିଛନ୍ତି । ‘ସକ୍ଷମ’ କାର୍ଯ୍ୟକ୍ରମ ଜରିଆରେ ଗ୍ରାମୀଣ ଅଭିଭାବକମାନେ ଏବେ ପିଲାଙ୍କ ଶିକ୍ଷା ସମ୍ପର୍କରେ ସହଜରେ ତଥ୍ୟ ପାଇପାରିବେ ଏବଂ ଗୁଣାତ୍ମକ ଶିକ୍ଷା ଦାବି କରିପାରିବେ। ‘ସକ୍ଷମ’ ଶିକ୍ଷା ବ୍ୟବସ୍ଥାରେ ଦାୟିତ୍ୱବୋଧକୁ ଦ୍ୱିଗୁଣିତ କରିବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି।




