ରାଜୁଡ଼ା ଅମଳରୁ ନିର୍ମାଣ ହୋଇଥିବା ଚିତ୍ରକୂଟ ପୋଖରୀର ଉଦ୍ଧାର କେବେ!
ତାଳଚେର, ୨୬/୦୪ ତାଳଚେର ପୌରାଚଂଳରେ ଅବସ୍ଥିତ ରାଜାରାଜୁଡ଼ା ଅମଳର ମୁଖ୍ୟ ଚିତ୍ରକୂଟ ପୋଖରୀ ରାଜୁଡ଼ା ଅମଳରୁ ହୋଇଥିଲେ ହେଁ ଏହା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ସହର ପ୍ରାୟ ୬ – ୭ଟି ୱାର୍ଡ଼ର ଜନସାଧାରଣ ଏହି ପୋଖରୀ ଉପରେ ନିର୍ଭରଶୀଳ ହେବା ସହ ନିଜର ନିତ୍ୟକର୍ମ କରୁଥିଲେ । ଏହି ପୋଖରୀ ଏକଦା ସ୍ୱଚ୍ଛଜଳ ଧାରଣ କରି ଖରାବର୍ଷା ଓ ଶୀତରେ ବର୍ଷସାରା ଲୋକମାନଙ୍କ ବ୍ୟବହାରରେ ଆସୁଥିଲ । ବିବାହ, ବ୍ରତ, ଶୁଦ୍ଧକ୍ରିୟା କର୍ମ, ପର୍ବପର୍ବାଣୀ ଇତ୍ୟାଦି କରିବାରେ ଏହା ସହାୟକ ହେଉଥିଲା ବୋଲି ଅଂଚଳବାସୀ ମୁହଁରୁ ଶୁଣିବାକୁ ମିଳେ । ତେବେ ଏଭଳି ପୋଖରୀର ଅବସ୍ଥା ଦିନକୁ ଦିନ ଅବନତି ଘଟି, ପୋଖରୀର ଚର୍ତୁପାଶ୍ୱର୍ ଅନାବନା ଗଛ, ଅଳିଆ ଆବର୍ଜନା, ମାଛକାତି, ପୋଖରୀ ଭିତର ପାଶ୍ୱର୍ ତରୁଲଟା, ବଡ଼ବଡ଼ଘାସ, ବୃକ୍ଷ ଆଦି ପଡ଼ିରହି ନର୍କକୁଣ୍ଡରେ ପରିଣତ ହୋଇ ପଡ଼ି ରହିଛି । ବର୍ତମାନ ତାଳଚେର ପୌରପରିଷଦ ପକ୍ଷରୁ ଉନ୍ନତିମୂଳକ କାର୍ଯ୍ୟ କରାଯିବା ନେଇ ପ୍ରଜାମଣ୍ଡଳ ଭବନ, ଗୋପବନ୍ଧୁ ଟାଉନ ହଲକୁ ମେସିନ୍ ସାହାଯ୍ୟରେ ଯୋର୍ସୋର୍ରେ ଭଙ୍ଗାରୁଜା କରାଯାଇ କାର୍ଯ୍ୟ ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ଯଦି ଏହି ପୋଖରୀର ପୁନରୁଉଦ୍ଧାର କାର୍ଯ୍ୟ କରାଯାଆନ୍ତା ତେବେ ରାଜୁଡ଼ାଅମଳର ଏହି ପୋଖରୀଟି ପୁନଃଜିବୀତ ହୋଇପାରନ୍ତା ବୋଲି ସ୍ଥାନୀୟ ବାସୀନ୍ଦା, ନିକଟବର୍ତି ମାର୍କେଟ କମ୍ପେ୍ଲକ୍ସର ବ୍ୟବସାୟୀ ଓ ଟାକ୍ସିଷ୍ଟାଣ୍ଡର ଲୋକମାନେ ମତପୋଷଣ କରିଛନ୍ତି । ବିପର୍ଯ୍ୟସ୍ତ ଅବସ୍ଥା ନେଇ ପୌରବାସୀଙ୍କ ପକ୍ଷରୁ ନେତା, ବିଧାୟକ, ଓ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ସତ୍ୱେ ଏହାର ପୁନରୁଉଦ୍ଧାର କାର୍ଯ୍ୟକ୍ଷମ ଏଯାବତ୍ ହୋଇପାରୁନି । ଦୀର୍ଘବର୍ଷ କାଳ ଏହି ପୋଖରୀ ଲୋକଙ୍କ ସେବାରେ ନଆସି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ଏହାକୁ ହୃଦୟଙ୍ଗମ କରି ପ୍ରଶାସନିକ ସ୍ତରରେ ଏହାର ପୁନରୁଉଦ୍ଧାର କରାଯାଇ ପାରିଲେ ଆଖପାଖ ୱାର୍ଡ଼ବାସୀ ଉପକୃତ ହୋଇ ପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି । ଏହି ପୋଖରୀର ନିକଟରେ ଆଖପାଖ ୫ରୁ ୬ଟି ୱାର୍ଡ଼ ରହିଥିବା ବେଳେ ଟାକ୍ସିଷ୍ଟାଣ୍ଡ, ରାମଚନ୍ଦ୍ର ମାର୍କେଟ, ବାଇପାସ୍ ବସ୍ତି ଓ ଚିତ୍ରକୂଟ ଶିବମନ୍ଦିର ଅବସ୍ଥିତ । ଏହାର ପୁନରୁଉଦ୍ଧାର କରାଗଲେ ପୋଖରୀଟି ଲୋକଙ୍କ ହିତ ଆସିପାରିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ବଡ଼ ଦୁଃଖର ବିଷୟ ନେତାମାନଙ୍କ ଦ୍ୱାରା ତିନି ତିନିଥର ପୁନରୁଉଦ୍ଧାର ପାଇଁ ଫଳକ ଲାଗିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ତେବେ ଏହା କେବେ କାର୍ଯ୍ୟକାରୀ ହେଉଛି ଓ ଲୋକଙ୍କ କାର୍ଯ୍ୟରେ କେବେ ଆସୁଛି ତାହା ଆଗାମୀ ଦିନରେ ହିଁ ଜଣାପଡ଼ିବ ।



