ତାଳଚେର ସହରରେ ହାତୀ ଆତଙ୍କ
ତାଳଚେର, ୦୨/୦୫ ଗତକାଲି ତାଳଚେର ଲିଙ୍ଗରାଜ କୋଇଲା ଖଣି ନିକଟରେ ଏକ ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା । ଉକ୍ତ ହାତୀଟି ପ୍ରାୟ ରାତି ସମୟରେ ୧୪୯ନଂ ଜାତୀୟ ରାଜପଥ ଚାଳିଆକୂଟ୍ଟା ଗ୍ରାମ କେନାଲ ରାସ୍ତାରେ ରହିଥିଲା । ଲୋକମାନେ ବନବିଭାଗ ସହାୟତାରେ ଏହାକୁ ଅକ୍ଳାନ୍ତ ପରିଶ୍ରମ କରି ଅନ୍ୟତ୍ର ଘୋଡ଼ାଇ ଦେଇଥିଲେ ହେଁ ବୋଧହୁଏ ଗୋଠ ଭିତରୁ ଏହି ହାତୀଟି ପଳାଇ ଆସି ରାସ୍ତା ନପାଇ ଏଣେତେଣେ ଘୂରୀ ବୁଲୁଛି ବୋଲି ଅନୁମାନ କରାଯାଉଛି । ତେବେ ହାତୀପଲ ଢ଼େଙ୍କାନାଳ ଜିଲ୍ଳା ପର୍ଜଙ୍ଗ ଅଂଚଳରୁ ବ୍ରାହ୍ମଣୀନଦୀ ପାର ହୋଇ ତାଳଚେର ଅଂଚଳକୁ ବାରମ୍ବାର ପଶି ଆସି ଲୋକଙ୍କ ଧନଜୀବନ ନଷ୍ଟ କରୁଥିବା ବେଳେ ବନବିଭାଗ ପକ୍ଷରୁ ତାଙ୍କୁ ଘୋଡ଼ାଇ ଦିଆଯାଇଥାଏ । ପୁନଶ୍ଚ ସେହି ପର୍ଜଙ୍ଗ ଅଂଚଳରୁ ହାତୀ ଗୁଡ଼ିକ କୌଣସି ଖାଦ୍ୟପଦାର୍ଥ ନପାଇ ଘୂରୀବୁଲିବା ଫଳରେ ଲୋକମାନେ ତାଳଚେର ଆଡ଼କୁ ଘୋଡ଼ାଇ ଦେଉଥିବାରୁ କଙ୍କିଳି, ଧରମପୁର, ଶୈନାଳୀ, ଉତ୍ୟାଦି ଗ୍ରାମକୁ ପଳାଇ ଆସିଥାନ୍ତି । ତେଣୁ ବନବିଭାଗ ପକ୍ଷରୁ ଏହାର ସ୍ଥାୟୀ ପ୍ରତିକାର କରିବା ନେଇ ସାଧାରଣରେ ଦାବି ହେଉଛି ।



