
ପ୍ରାକୃତିକ ବିପର୍ଯ୍ୟୟ ମୁକବିଲା ପାଇଁ ଜିଲ୍ଲାସ୍ତରୀୟ ବୈଠକ
ଅନୁଗୋଳ, ୦୬.୦୫ : ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପରିଚାଳନା ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାନ୍ୟବର ପାଲଲହଡା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ଅଶୋକ ମହାନ୍ତି, ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ମାନ୍ୟବର ଆଠମଲ୍ଲିକ ବିଧାୟକ ଶ୍ରୀ ନଳିନୀକାନ୍ତ ପ୍ରଧାନ,ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡନାୟକ, ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପ୍ରଧାନ, ମାନ୍ୟବର ଅନୁଗୋଳ ବିଧାୟକଙ୍କ ପ୍ରତିନିଧି ଶ୍ରୀ ପବନ ମଣ୍ଡୋଠିଆ, ମାନ୍ୟବର ତାଳଚେର ବିଧାୟକଙ୍କ ପ୍ରତିନିଧି ଶ୍ରୀ ସନ୍ତୋଷ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ଓ ବିଭିନ୍ନ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଜଳସେଚନ,ସ୍ୱାସ୍ଥ୍ୟ,ବିଦ୍ୟୁତ୍, ପୂର୍ତ୍ତ, ପଞ୍ଚାୟତ ଓ ଗ୍ରାମୀଣ ଜଳଯୋଗାଣ, ଖାଦ୍ୟ ଯୋଗାଣ ଏବଂ ଖାଦ୍ୟ କଲ୍ୟାଣ, ନଗର ଉନ୍ନୟନ ବିଭାଗ ବିଷୟରେ ଆଲୋଚନା ହୋଇଥିଲା। ବର୍ଷା ଦିନ ପୂର୍ବରୁ ନାଳ ନର୍ଦ୍ଦମାଗୁଡ଼ିକୁ ସଫା କରିବା ଓ ମରାମତି କରିବା, ଶୁଖିଲା ଖାଦ୍ୟ ମହଜୁଦ ରଖିବା, ଯନ୍ତ୍ର ଚାଳିତ ବୋଟ୍ ଗୁଡ଼ିକ ସଜାଗ ରଖିବା, କଣ୍ଟ୍ରୋଲ ରୁମ୍ ଗୁଡ଼ିକୁ କାର୍ଯ୍ୟକ୍ଷମ କରିବା, ନିୟମିତ ବୃଷ୍ଟିପାତ ମାପିବା, ଆଶ୍ରୟସ୍ଥଳଗୁଡ଼ିକରେ ଆବଶ୍ୟକ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା, ବିଦ୍ୟୁତ ଓ ଟେଲିଫୋନ ବିଭାଗ ନିମନ୍ତେ ଗଛ କାଟିବା, ମେଡିକାଲରେ ଆବଶ୍ୟକ ଜରୁରୀକାଳୀନ ସମସ୍ତ ଔଷଧ ଯଥା- ମ୍ୟାଲେରିଆ, ଟାଇଫଏଡ୍ ଔଷଧ, ଓ ଆର ଏସ୍, ବ୍ଲିଚିଂ ପାଉଡର, କ୍ଲୋରିନ୍ ବଟିକା ଇତ୍ୟାଦି ମହଜୁଦ ରଖିବା, ପାନୀୟ ଜଳ ଯୋଗାଣ, ପଲିଥିନ୍ ମହଜୁଦ ରଖିବା ଇତ୍ୟାଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବିରଞ୍ଚି ବାଗ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଶ୍ରୀନିବାସ ସାହୁ, ଜିଲ୍ଲା ଆପାତକାଳୀନ ଅଧିକାରୀ ଶ୍ରୀ ଶୁଭେନ୍ଦୁ କୁମାର ଜେନାଙ୍କ ସମେତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।



