ଭାଗିରଥୀ ସାଗର କୂଳରେ ଚନ୍ଦନ ଯାତ୍ରା ବତ୍ସା ହରଣ ବେଶରେ ଦର୍ଶନ ଦେଲେ ପ୍ରଭୁ ମଦନ ମୋହନ
ଢେଙ୍କାନାଳ, ୦୮/୦୫:ଢେଙ୍କାନାଳର ପ୍ରସିଦ୍ଧ ଭାଗିରଥୀ ସାଗର କୂଳରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଏକୋଇଶି ଦିନିଆ ଚନ୍ଦନ ଯାତ୍ରା ବେଶ୍ ଧୁମଧାମରେ ଅନୁଷ୍ଠିତ ହେଉଛି। ଏହି ଯାତ୍ରାର ଶେଷ ପାଞ୍ଚ ଦିନ ପ୍ରଭୁ ମଦନ ମୋହନଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହେଉଥିବା ବେଳେ, ଆଜି ତୃତୀୟ ଦିନରେ ପ୍ରଭୁ ଚନ୍ଦନ ବେଦୀରେ ‘ବତ୍ସା ହରଣ’ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଶ୍ରୀଜିଉଙ୍କର ଏହି ମନୋରମ ବେଶ ଦେଖିବା ପାଇଁ ଭାଗିରଥୀ ସାଗର କୂଳରେ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ଼ ଜମିଥିଲା। ଆଜିର ଏହି ସ୍ୱତନ୍ତ୍ର ନୀତିକାନ୍ତି ପୂଜକ ମଳୟ କର, ପାଳିଆ ସେବକ ବାବାଜୀ ମହାପାତ୍ର, କହାଲିଆ ଟିକନ ବେହେରା ଏବଂ ଜୀମାଦାର ଶ୍ୟାମସୁନ୍ଦର ପାଣିଗ୍ରାହୀଙ୍କ ଉପସ୍ଥିତିରେ ସଫଳତାର ସହ ସମ୍ପନ୍ନ ହୋଇଛି। ପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରି ଭକ୍ତମାନେ ଆଧ୍ୟାତ୍ମିକ ଶାନ୍ତି ଲାଭ କରିବା ସହ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଛି।



