ସୋମନାଥ ସ୍ୱାଭିମାନ ପର୍ବ ଅନୁଷ୍ଠିତ
ଢେଙ୍କାନାଳ : ୧୧/୦୫- ସୋମନାଥ ମନ୍ଦିରର ବିଧ୍ୱଂସ ଲୀଳାର ୧୦୦୦ ବର୍ଷ ପୂର୍ତ୍ତି ଅବସରରେ “ସୋମନାଥ ସ୍ୱାଭିମାନ ପର୍ବ” ଆଜି ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ କପିଳାସ ଠାରେ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରଦ୍ଧାଳୁ, ସ୍ଥାନୀୟ ଲୋକ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କର ସକ୍ରିୟ ଉପସ୍ଥିତି ଦେଖିବାକୁ ମିଳିଥିଲା ।ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୋମନାଥ ମନ୍ଦିରର ଐତିହ୍ୟ ଓ ଭାରତୀୟ ସଂସ୍କୃତିର ସୁରକ୍ଷାରେ ଏହାର ଅବଦାନ ବିଷୟରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ଏପରି ଆୟୋଜନ ଆମ ସାମୁଦାୟିକ ଐତିହ୍ୟ, ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଗୌରବକୁ ଆହୁରି ସୁଦୃଢ କରିବ ।ସମ୍ମାନିତ ଅତିଥି ଭାବେ ଗନ୍ଦିଆ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୀନା ରାଣୀ ଖଟୁଆ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି, ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ପବିତ୍ର ବେହେରା ଓ ଜିଲ୍ଲା ପରିଷଦ ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ କୋଦଣ୍ଡଧର ସାହୁ ପ୍ରମୁଖ ଯୋଗଦେଇଥିଲେ ।ଏହି “ସୋମନାଥ ସ୍ୱାଭିମାନ ପର୍ବ” ଭାରତବ୍ୟାପୀ ଅନେକ ଶୈବ ପୀଠରେ ଏକା ସମୟରେ ଅନୁଷ୍ଠିତ ହୋଇଥିବାବେଳେ, ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା । ସେହିପରି ଜାତୀୟ ସ୍ତରର କାର୍ଯ୍ୟକ୍ରମ ଗୁଜରାଟର ସୋମନାଥ ମନ୍ଦିରରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା ।କପିଳାସ ପୀଠରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳରେ ରାଜ୍ୟ ଓ ଜାତୀୟ ସ୍ତରର ଉକ୍ତ ଦୁଇଟି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପ୍ରଦର୍ଶିତ କରାଯାଇଥିଲା । ଏହାକୁ ଉପସ୍ଥିତ ଶ୍ରଦ୍ଧାଳୁ ଓ ଜନସାଧାରଣ ଭକ୍ତିଭାବର ସହ ଦେଖି ଏକ ଦିବ୍ୟ ଓ ଐତିହାସିକ ମୁହୂର୍ତ୍ତର ଅନୁଭବ କରିଥିଲେ ।ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ଶୈବ ପୀଠ କପିଳାସରେ ଏହିପରି ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ଜିଲ୍ଲାର ଧାର୍ମିକ ପରମ୍ପରା ଓ ସାଂସ୍କୃତିକ ଗୌରବକୁ ଆହୁରି ଉଜାଗର କରିବା ପାଈଁ ମାର୍ଗ ପ୍ରଶସ୍ଥ କରିବ l କାର୍ଯ୍ୟକ୍ରମ ପରିଚାଳନା ଶ୍ରୀ ସତ୍ୟ ନାରାୟଣ କର ସମ୍ପାଦନ କରିଥିଲେ l



