ନୀତିନ ନବୀନଙ୍କ ନୂଆ ଟିମ୍ ଘୋଷଣା: ବୈଜୟନ୍ତଙ୍କୁ ପୁଣି ଉପାଧ୍ୟକ୍ଷ ଦାୟିତ୍ୱ, ସ୍ମୃତିଙ୍କୁ ବଡ଼ ଭୂମିକା
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି)ର ଜାତୀୟ ସଭାପତି ନୀତିନ ନବୀନ ସୋମବାର ଦଳର ନୂଆ ଜାତୀୟ ଟିମ୍ ଘୋଷଣା କରିଛନ୍ତି। ନୂଆ ଟିମ୍ରେ ଅଭିଜ୍ଞ ନେତାଙ୍କ ସହ ନୂଆ ମୁହଁଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି। ଏହି ପୁନର୍ଗଠନରେ ୧୩ ଜଣ ଜାତୀୟ ଉପାଧ୍ୟକ୍ଷ, ୮ ଜଣ ଜାତୀୟ ସାଧାରଣ ସମ୍ପାଦକ ଓ ୧୬ ଜଣ ଜାତୀୟ ସମ୍ପାଦକଙ୍କୁ ଦାୟିତ୍ୱ ମିଳିଛି।
ନୂଆ ଟିମ୍ର ସବୁଠାରୁ ଚର୍ଚ୍ଚିତ ନାମ ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଜାତୀୟ ସାଧାରଣ ସମ୍ପାଦକ ଦାୟିତ୍ୱ ମିଳିଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ରାମ ମାଧବ ଓ ଓଡ଼ିଶାର ବରିଷ୍ଠ ନେତା ବୈଜୟନ୍ତ ଜୟ ପଣ୍ଡାଙ୍କୁ ଜାତୀୟ ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି।
ଓଡ଼ିଶା ପାଇଁ ମଧ୍ୟ ଏହି ଘୋଷଣା ବିଶେଷ ଗୁରୁତ୍ୱ ବହନ କରୁଛି। ବୈଜୟନ୍ତ ପଣ୍ଡାଙ୍କୁ ପୁଣି ଜାତୀୟ ଉପାଧ୍ୟକ୍ଷ ଦାୟିତ୍ୱ ମିଳିଥିବା ବେଳେ ସମ୍ବିତ ପାତ୍ରଙ୍କୁ ନର୍ଥ-ଇଷ୍ଟ କୋର୍ଡିନେଟର ଭାବେ ନିଯୁକ୍ତ କରାଯାଇଛି।
ଏହାଛଡ଼ା ପୀୟୁଷ ଗୋୟଲଙ୍କୁ ଜାତୀୟ କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ବି.ଏଲ୍. ସନ୍ତୋଷଙ୍କୁ ଜାତୀୟ ସାଧାରଣ ସମ୍ପାଦକ (ସଂଗଠନ) ଭାବେ ଦାୟିତ୍ୱରେ ରଖାଯାଇଛି। ଶିବପ୍ରକାଶ ଓ ସୌଦାନ ସିଂହଙ୍କୁ ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ୱ ମିଳିଛି।
ବିଜେପିର ଏହି ନୂଆ ଟିମ୍ରେ ମହିଳା, ଯୁବ ଓ ବିଭିନ୍ନ ସାମାଜିକ ବର୍ଗକୁ ପ୍ରତିନିଧିତ୍ୱ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ରିପୋର୍ଟ ଅନୁସାରେ ନୂଆ ଜାତୀୟ ଟିମ୍ରେ ୧୦ ଜଣ ମହିଳା ଓ ୬ ଜଣ ଅଳ୍ପସଂଖ୍ୟକ ସମୁଦାୟର ନେତା ସାମିଲ ହୋଇଛନ୍ତି। ଆଗାମୀ ନିର୍ବାଚନକୁ ନଜରରେ ରଖି ଏହି ସାଂଗଠନିକ ପୁନର୍ଗଠନକୁ ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି।



