ଭଦ୍ରକରେ ବନ୍ୟାର ଭୟଙ୍କର ରୂପ: ୧.୦୭ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର
ଭଦ୍ରକ: ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେଇଛି। ଭଣ୍ଡାରିପୋଖରୀ, ଧାମନଗର, ତିହିଡ଼ି ଓ ଚାନ୍ଦବାଲି ବ୍ଲକର ୩୩ଟି ପଞ୍ଚାୟତ, ୪ଟି ୱାର୍ଡ ଏବଂ ୧୩୪ଟି ଗାଁ ବନ୍ୟା ଜଳରେ ପ୍ରଭାବିତ ହୋଇଛି।
ଜିଲ୍ଲା ପ୍ରଶାସନର ତଥ୍ୟ ଅନୁଯାୟୀ, ବନ୍ୟାରେ ମୋଟ ୧,୯୬,୨୪୦ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧,୦୭,୭୭୩ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପୀଡ଼ିତଙ୍କୁ ରିଲିଫ୍ ଯୋଗାଇବା ପାଇଁ ଜିଲ୍ଲାରେ ୯୦ଟି ରନ୍ଧନଶାଳା ଖୋଲାଯାଇଛି।
ସେହିପରି ୩୫,୧୯୧ ଜଣଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ବଣ୍ଟନ କରାଯାଇଛି। ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟାକୁ ମୁକାବିଲା ପାଇଁ ୨୬ଟି ମେଡିକାଲ ଟିମ୍ ଓ ୪ଟି ଭେଟେରିନାରୀ ଟିମ୍ ନିୟୋଜିତ ହୋଇଛନ୍ତି।
ବନ୍ୟାରେ କେବଳ ମଣିଷ ନୁହେଁ, ବିପୁଳ ପରିମାଣର ପଶୁସମ୍ପଦ ମଧ୍ୟ ପ୍ରଭାବିତ ହୋଇଛି। ଜିଲ୍ଲାରେ ପ୍ରାୟ ୯୫,୩୮୧ଟି ପଶୁସମ୍ପଦ ବନ୍ୟାର ପ୍ରଭାବରେ ଆସିଛି।
ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରିବା ପାଇଁ ୩ଟି ODRAF, ଗୋଟିଏ NDRF ଏବଂ ୨ଟି ଅତିରିକ୍ତ ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି। ଜଳବନ୍ଦୀ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଉଦ୍ଧାର, ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ସହ ଆବଶ୍ୟକ ସ୍ୱାସ୍ଥ୍ୟସେବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।
ବନ୍ୟା ସ୍ଥିତି ଉପରେ ଜିଲ୍ଲା ପ୍ରଶାସନ ନିରନ୍ତର ନଜର ରଖିଥିବା ବେଳେ ଜରୁରୀ ପରିସ୍ଥିତି ପାଇଁ ଉଦ୍ଧାରକାରୀ ଦଳଗୁଡ଼ିକୁ ସଜାଗ ରଖାଯାଇଛି।



