ଶୀର୍ଷକ: ବିଜେପିର ନୂଆ ଟିମ୍ ପରେ ମୋଦି ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା: କାହାକୁ ମିଳିବ ଦିଲ୍ଲୀ ଡାକରା?
ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଜାତୀୟ ରାଜନୀତିରେ ସରଗରମ ଆଲୋଚନା ଆରମ୍ଭ ହୋଇଛି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ନିଜର ନୂତନ ଟିମ୍ ଘୋଷଣା କରିବା ପରେ ଏହି ସମ୍ଭାବନା ଆହୁରି ତେଜିଛି। ଏହି ନୂତନ ସାଙ୍ଗଠନିକ ଟିମ୍ରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପୁନର୍ବାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ବେଳେ ପୁରୀ ସାଂସଦ ଡା. ସମ୍ବିତ ପାତ୍ରଙ୍କୁ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ସଂଯୋଜକ ଦାୟିତ୍ୱ ଅର୍ପଣ କରାଯାଇଛି।
ଅନ୍ୟପଟେ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ଆଉ କିଛି ନୂଆ ଚେହେରା ସାମିଲ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଚର୍ଚ୍ଚା ଅନୁଯାୟୀ, ଓଡ଼ିଶାରୁ ୨ ରୁ ୩ ଜଣ ନେତାଙ୍କୁ ମନ୍ତ୍ରୀପଦ ମିଳିପାରେ। ଏହି ରେସ୍ରେ ମନମୋହନ ସାମଲ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁକାନ୍ତ ପାଣିଗ୍ରାହୀ, ପ୍ରଦୀପ ପୁରୋହିତ ଏବଂ ନବଚରଣ ମାଝୀଙ୍କ ନାମ ଆଗରେ ରହିଛି। ଯଦିଓ ଏହା ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଆକଳନ ଉପରେ ଆଧାରିତ, ତଥାପି କାହା ଭାଗ୍ୟରେ କେନ୍ଦ୍ର ମନ୍ତ୍ରୀପଦ ମିଳୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର।



