“ଆକ୍ସେସ ଟୁ ଜଷ୍ଟିସ” ପ୍ରକଳ୍ପ ପକ୍ଷରୁ ସଚେତନତା ଓ ସମ୍ପର୍କ ବୈଠକ ।

ଅନୁଗୁଳ ଆମ୍ବସରମୁଣ୍ଡା ପଞ୍ଚାୟତକାର୍ଯ୍ୟାଳୟ,ଠାରେ ବିଶ୍ଵ ଯୁବ କେନ୍ଦ୍ର, ବଣିନାଳି ଦ୍ୱାରା ପରିଚାଳିତ “ଆକ୍ସେସ ଟୁ ଜଷ୍ଟିସ” ପ୍ରକଳ୍ପ ପକ୍ଷରୁ ସରକାରୀ କାର୍ଯ୍ୟକ୍ରମ ଓ ଜନକଲ୍ୟାଣମୂଳକ ଯୋଜନା ସମ୍ବନ୍ଧୀୟ ଏକ ସଚେତନତା ଓ ସମ୍ପର୍କ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ଆମ୍ବସରମୁଣ୍ଡା ସରପଞ୍ଚ ସସ୍ମିତା ସେଠୀ, ADO ପ୍ରଶାନ୍ତ ପ୍ରଧାନ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଶାନ୍ତ ନାୟକ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ପରେ ବିଶ୍ଵ ଯୁବ କେନ୍ଦ୍ରର “ଆକ୍ସେସ ଟୁ ଜଷ୍ଟିସ” ପ୍ରକଳ୍ପ ସଂଯୋଜିକା ପୂଜା ସ୍ୱାଇଁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟକଳାପ ସମ୍ବନ୍ଧରେ ଉପସ୍ଥିତ ଲୋକମାନଙ୍କୁ ଅବଗତ କରାଇଥିଲେ।

ବୈଠକରେ ବାଲ୍ୟ ବିବାହର କୁପରିଣାମ, ଏହା ସମ୍ବନ୍ଧୀୟ ଆଇନଗତ ଦଣ୍ଡବିଧାନ, ଶିଶୁ ଶ୍ରମିକ ନିରାକରଣ ଓ ଶିଶୁ ଯୌନ ନିର୍ଯାତନା ନିରୋଧ ସମ୍ବନ୍ଧୀୟ ସରକାରୀ ବ୍ୟବସ୍ଥା ବିଷୟରେ ସଚେତନ କରାଯାଇଥିଲେ। ଏହା ସହିତ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା, ବିବାହ ପଞ୍ଜୀକରଣ, ଅନ୍ତ୍ୟୋଦୟ ଗୃହ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ସୁଭଦ୍ରା ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ସୁପରଭାଇଜରଙ୍କ ଦ୍ୱାରା ମମତା ଯୋଜନା, ପୋଷଣ କାର୍ଯ୍ୟକ୍ରମ, ମହିଳା ଓ ଶିଶୁ ସୁରକ୍ଷା ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା। ସେହିପରି CRP ମହିଳାମାନଙ୍କୁ ଦିଆଯାଉଥିବା ଋଣ ସୁବିଧା ଓ ପିଲାମାନଙ୍କ ପାଇଁ ବୈଷୟିକ ତାଲିମ ଶିକ୍ଷା ବିଷୟରେ ମଧ୍ୟ ଅବଗତ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ କିଶୋରୀ ବାଳିକା, CRP, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଓ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାର ସମାପନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜସ୍ମିତା ପ୍ରଧାନ ଓ ପୁନିଆ ସାହୁ ସହଯୋଗ କରିଥିଲେ।




