ମେଧାବୀ ଛାତ୍ରୀ ଶୁଭଲକ୍ଷ୍ମୀଙ୍କ ଉଜ୍ଜ୍ଵଳ ଭବିଷ୍ୟତ ଗଢୁଛି ଟାଟା ଷ୍ଟିଲ ଫାଉଣ୍ଡେସନ

ମେରାମଣ୍ଡଳୀ, ୦୧/୦୬ /୨୦୨୬ : ଦୃଢ଼ ଇଚ୍ଛାଶକ୍ତି ଏବଂ ଆବଶ୍ୟକ ସହଯୋଗ କିଭଳି ଜଣେ ମେଧାବୀ ଛାତ୍ରୀଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିପାରେ, ତାର ଏକ ଉଦାହରଣ ହେଉଛନ୍ତି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ୍ ଅଧୀନ ନୂଆହତା ଗ୍ରାମର ଶୁଭଲକ୍ଷ୍ମୀ ଭୋଇ। ଶୁଭଲକ୍ଷ୍ମୀ ନୂଆହତା ୟୁଜି ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ। ତାଙ୍କ ପିତା ଅଭିରାମ ଭୋଇ ଦିନ ମଜୁରିଆ ଭାବେ କାମ କରନ୍ତି। ଅନିୟମିତ ଆୟ ଯୋଗୁଁ ଶୁଭଲକ୍ଷ୍ମୀଙ୍କ ପାଠପଢ଼ା ଏବଂ ଆନୁଷଙ୍ଗିକ ଖର୍ଚ୍ଚ ଯୋଗାଡ଼ କରିବା ପରିବାର ପକ୍ଷେ ଅସମ୍ଭବ ହୋଇପଡିଥିଲା। ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଯୋଗୁ ତାଙ୍କ ପାଠପଢାର ସମସ୍ତ ଖର୍ଚ୍ଚ ତୁଲାଉଛି ଟାଟା ଷ୍ଟିଲ ଫାଉଣ୍ଡେସନ।
ଭବିଷ୍ୟତରେ ଡାକ୍ତର ହୋଇ ଜନସେବା କରିବାକୁ ଆଶା ରଖିଥିବା ଶୁଭଲକ୍ଷ୍ମୀ ଅଷ୍ଟମ ଶ୍ରେଣୀରେ ପଢୁଥିବା ବେଳେ ଟିଏସଏଫ ଦ୍ବାରା ନିଯୋଜିତ ସଂସ୍ଥା ଆସ୍ପାୟାର ପକ୍ଷରୁ ସେ ‘ଜ୍ୟୋତି ଫେଲୋସିପ୍ ପ୍ରୋଗ୍ରାମ୍’ ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ‘ଜ୍ୟୋତି ଫେଲୋସିପ୍’ର ମେଧା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ଶୁଭଲକ୍ଷ୍ମୀଙ୍କୁ ଆବଶ୍ୟକୀୟ ଆର୍ଥିକ ଓ ଶିକ୍ଷାଗତ ସହାୟତା ଯୋଗାଇ ଦିଆଯାଇଥିଲା। ଫଳରେ ତାଙ୍କ ଆତ୍ମବିଶ୍ୱାସ ବଢିଥିଲା। ଏହାପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି । ସେ ଅଷ୍ଟମ ଶ୍ରେଣୀରେ ୯୨ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।
ଏ ନେଇ ଶୁଭଲକ୍ଷ୍ମୀ କହିଛନ୍ତି, “ଜ୍ୟୋତି ଫେଲୋସିପ୍ ମୋ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିଛି। ଏହା ମୋତେ ଆତ୍ମବିଶ୍ୱାସ ଦେବା ସହ ମୋ ପାଠପଢ଼ା ଆଗକୁ ବଢ଼ାଇବାରେ ସାହାଯ୍ୟ କରିଛି।’
ତାଙ୍କ ପିତା ଅଭିରାମ ଭୋଇ ମଧ୍ୟ ଟାଟା ଷ୍ଟିଲ୍ ଫାଉଣ୍ଡେସନକୁ କୃତଜ୍ଞତା ଜଣାଇବା ସହ ଏହି ବୃତ୍ତି ଝିଅ ମନରେ ଏକ ନୂଆ ଆଶା ସଞ୍ଚାର କରିଛି ବୋଲି କହିଛନ୍ତି।
ସୂଚନଯୋଗ୍ଯ ଯେ, ଆର୍ଥିକ ବର୍ଷ ୨୦୨୫–୨୬ରେ ଓଡ଼ିଶାର ୫,୮୫୭ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ ପ୍ରଦାନ କରାଯାଇଛି। ନିକଟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍, ମେରାମଣ୍ଡଳୀ ପକ୍ଷରୁ ଆୟୋଜିତ ‘ଅରୁଣିମା’ ଉତ୍ସବରେ ଅନୁଗୋଳ ଏବଂ ଢେଙ୍କାନାଳ ଜିଲ୍ଲାର ୨୧୧ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।



