ଟୋକନ ସମସ୍ୟା ର ସମାଧାନ ସାତ ଦିନ ମଧ୍ୟରେ ହେବ, ପ୍ରତିଶୃତି ଦେଲେ ବିଧାୟକ

ଭଟଲି :- ଆଜି ଜୟ କିସାନ ଆନ୍ଦୋଳନ ତରଫରୁ ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭଟଲି ନିର୍ବାଚନ ମଣ୍ଡଳୀ ର ତିନୋଟି ଯାକ ବ୍ଳକ ରୁ ପ୍ରାୟ ଶତାଧିକ ଚାଷୀ ଟୋକନ ସମସ୍ୟା କୁ ନେଇ ବିଧାୟକ ଇରାଶିଷ ଆଚାର୍ଯ୍ୟ ଙ୍କ କାର୍ଯ୍ୟାଳୟ କୁ ଆସି ଲିଖିତ ଅଭିଯୋଗ ଦେବା ସହ ସମସ୍ୟା ବିଷୟରେ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ରେ ଆଲୋଚନା କରିଥିଲେ। ଚାଷୀମାନେ ବ୍ୟକ୍ତିଗତ ଭାବେ ଲିଖିତ ଅଭିଯୋଗ ବିଧାୟକ ଙ୍କୁ ଦେଇଥିଲେ ଜିଲ୍ଲା ର ମୋଟ ଏକ ଲକ୍ଷ ପାଞ୍ଚ ହଜାର ଚାରିଶହ ଚଉସ୍ତରୀ ଜଣ କୃଷକ ପଞ୍ଜିକରଣ କରିଥିବା ବେଳେ ପ୍ରାୟ ସାତ ହଜାର ରୁ ଉର୍ଦ୍ଧ ଚାଷୀଙ୍କ ଟୋକନ ବ୍ଳକ ହୋଇଥିବା ବେଳେ ଭଟଲି ନିର୍ବାଚନ ମଣ୍ଡଳୀ ରେ ଥିବା ବାର ଗୋଟି ପେକ୍ସ ର ଦୁଇ ହଜାର ଦୁଇ ଶହ ରୁ ଉର୍ଦ୍ଧ ଚାଷୀଙ୍କ ଟୋକନ ବ୍ଳକ ହୋଇଯାଇଛି।

ଅନ୍ଯପକ୍ଷରେ ୮୦ ଭାଗ ଚାଷୀଙ୍କ ଟୋକନ କମ୍ ଆସିଥିବା ବେଳେ ଅନେକ୍ ଚାଷୀଙ୍କ ଟୋକନ ୩\୪ କ୍ବିଣ୍ଟାଲ ଆସିଛି। ଏପରି ପରିସ୍ଥିତିରେ ଚାଷୀ ଯଦି ଉପଯୁକ୍ତ ଟୋକନ ପାଇବ ନାହିଁ ତାହେଲେ ସେ ମଣ୍ଡି ରେ ଧାନ ବିକ୍ରି କରିବାରୁ ବଞ୍ଚିତ ହେବା ସହ ବାହାରେ ବେପାରୀମାନଙ୍କୁ ଠାରେ ଅତି କମ୍ ଦରରେ ବିକିବାକୁ ବାଧ୍ଯ ହେବ। ଯାହା କ୍ବିଣ୍ଟାଲ ପ୍ରତି ସହାୟକ ଦର ଠାରୁ ପ୍ରାୟ ହଜାରେ ଟଙ୍କା କମ ହେବ। ବହୁ ଅର୍ଥ ଖର୍ଚ୍ଚ କରି ଚାଷୀ ଚାଷ କରି ଯଦି ଉଚିତ ମୂଲ୍ଯରେ ଧାନ ବିକ୍ରି କରିପାରିବ ନାହିଁ ତାହେଲେ ତାହାର ଆର୍ଥୀକ ମେରୁଦଣ୍ଡ ଭୁଷୁଡି ପଡିବ। ଏହି ସବୁ ସମସ୍ୟା ବିଷୟରେ ଜୟ କିସାନ ଆନ୍ଦୋଳନ ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଂଗରାଜ ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ ଙ୍କ ସହିତ ଆଲୋଚନା କରିଥିଲେ। ବିଧାୟକ ଏହି ଟୋକନ ସମସ୍ୟା କୁ ସ୍ବୀକାର କରି ଚାଷୀମାନଙ୍କୁ କହିଥିଲେ ଯେ ତାଙ୍କ ସଂପର୍କୀୟ କାକା ଙ୍କ ଟୋକନ ମଧ୍ୟ ୩ କ୍ବିଣ୍ଟାଲ ଆସିଛି। ସରକାର ଙ୍କ ଭୁଲ ଯୋଗୁଁ ଚାଷୀ ହନ୍ତ ସନ୍ତ ହେଉଛି ବୋଲି ସେ ସ୍ବୀକାର କରିଥିଲେ। ଶ୍ରୀ ଲିଂଗରାଜ ଆହୁରି କହିଲେ ଯେ ଟୋକନ ବ୍ଲକ ହେବା, ଟୋକନ ର ପରିମାଣ କମ୍ ହେବା , ଧାନ ବିକ୍ରି ବ୍ଯବସ୍ଥା ରେ କେନ୍ଦ୍ରୀକରଣ ଦୁର୍ଭାଗ୍ୟ ଜନକ। ଡି ଏଲ୍ ପି ସି କୁ ପୂର୍ବ ଭଲି କ୍ଷମତା ସଂପନ୍ନ କରାଯାଉ ବୋଲି ବିଧାୟକ ଙ୍କୁ ସ୍ପଷ୍ଟ ଭାବରେ ଆଲୋକପାତ କରି କହିଥିଲେ ଏବଂ ଏହାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଚାଷୀମାନେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେବେ । ବିଧାୟକ ଶ୍ରୀ ଆଚାର୍ଯ୍ୟ ସମସ୍ୟା ର ଗମ୍ଭୀରତା କୁ ସ୍ବୀକାର କରି ସାତ ଦିନ ମଧ୍ୟରେ ଏହାର ନିଶ୍ଚିତଭାବେ ସମାଧାନ କରାଯିବ ବୋଲି ଚାଷୀମାନଙ୍କୁ ନିର୍ଭର ପ୍ରତିଶୃତି ଦେଇଥିଲେ। ବିଧାୟକ ପ୍ରତିଶ୍ରୁତି ଦେଲା ପରେ ଚାଷୀମାନେ ଆଲୋଚନା ରୁ ଓହୋରିଥିଲେ। ଏହି କାର୍ଯ୍ୟକ୍ରମରେ ଜୟ କିସାନ ଆନ୍ଦୋଳନ ର ଜିଲ୍ଲା ସଭାପତି ସୁଶୀଲ କୁମାର ସାହୁ , ସାଧାରଣ ସଂପାଦକ ହର ବଣିଆଁ, ଅରୁଣ କୁମାର ସାହୁ, ସୁରେନ୍ଦ୍ର ମେହେର, ଅକ୍ଷୟ ପ୍ରଧାନ, ତପୋବନ୍ତ ନାୟକ, ବିଜୟ ପ୍ରଧାନ, ମିନିଷ୍ଟର୍ ବାରିକ, ଆଶିଷ ମାଝୀ, ଭରତ ଚନ୍ଦ୍ର ନାୟକ, ନିତ୍ଯାନନ୍ଦ ବେହେରା, ଶୋଭାକର ସାହୁ, ଅଶୋକ ବିଶ୍ବାଳ ପ୍ରମୁଖ ଆଲୋଚନା କରିଥିଲେ।




