ସଫଳତା ଦେଇଛି ଜୈବିକ ଚାଷ, ବାଇଗଣ ଚାଷରୁ ମାସିକ ଆୟ ୬୦ହଜାର

- ପ୍ରେରଣା ପାଲଟିଛନ୍ତି କୋଚିଲାମଡ଼ା ଗ୍ରାମର କ୍ଷୀରୋଦ ଚନ୍ଦ୍ର ବେହେରା
- ବୈଷୟିକ ସହାୟତା ଓ ପ୍ରଶିକ୍ଷଣ ଦେଇଥିଲା ଟାଟା ଷ୍ଟିଲ୍ ଫାଉଣ୍ଡେସନ
ଢେଙ୍କାନାଳ, ୦୮/୦୬/୨୦୨୬: ଆଧୁନିକ ପଦ୍ଧତିରେ ଚାଷ କରି ସଫଳତା ପାଇ ପାରିଛନ୍ତି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଶିବପୁର ପଞ୍ଚାୟତ କୋଚିଲାମଡ଼ା ଗ୍ରାମର କ୍ଷୀରୋଦ ଚନ୍ଦ୍ର ବେହେରା । ଟାଟା ଷ୍ଟିଲ୍ ଫାଉଣ୍ଡେସନ(ଟିଏସ୍ଏଫ୍)ର ବୈଷୟିକ ସହାୟତା ଓ ପ୍ରଶିକ୍ଷଣ ଯୋଗୁ ସେ ଆଜି ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଚାଷ କରି ମାସିକ ପ୍ରାୟ ୬୦ହଜାର ଟଙ୍କା ରୋଜଗାର କରୁଛନ୍ତି । ଏହି ପ୍ରୟାସ ପାଇଁ ନିଜ ଅଞ୍ଚଳରେ ଉଦାହରଣ ପାଲଟିଛନ୍ତି କ୍ଷୀରୋଦ ।
ଗତ ଚାରି ବର୍ଷ ଧରି ଟିଏସ୍ଏଫ୍ର ମାର୍ଗଦର୍ଶନ ଓ ସହାୟତାରେ ସେ କୃଷି କ୍ଷେତ୍ରରେ ଅନେକ ସଫଳତା ହାସଲ କରିବା ସହ ଆଖପାଖ ଅଞ୍ଚଳର ଚାଷୀମାନଙ୍କୁ ମଧ୍ୟ ଏହି ଦିଗରେ ପ୍ରେରିତ କରୁଛନ୍ତି । ମୂଳତଃ ଚାଷୀ ପରିବାରରୁ ଆସୁଥିବା କ୍ଷୀରୋଦ ପାରମ୍ପରିକ ପଦ୍ଧତିରେ ଚାଷ କରୁଥିବା ବେଳେ ତାଙ୍କର ଆୟ ସୀମିତ ଥିଲା । ହେଲେ ସେ ଉତ୍ପାଦନ ବୃଦ୍ଧି ଓ ଅଧିକ ଦି’ପଇସା ରୋଜଗାର କରିବା ପାଇଁ ନୂତନ ଜ୍ଞାନକୌଶଳର ସନ୍ଧାନ କରୁଥିଲେ । ଏହି ସମୟରେ ଟିଏସ୍ଏଫ୍ ପକ୍ଷରୁ ତାଙ୍କୁ ଉନ୍ନତ ବିହନ, ମଲ୍ଚିଂ ସିଟ୍ସ ସହିତ ସୌର ଚାଳିତ ପମ୍ପ, ଜଳସେଚନ, ଟ୍ରେଲିସ୍ ନେଟିଂ ଏବଂ ଜୈବିକ ଚାଷ ଉପରେ ବ୍ୟାପକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।
ଗୋପାଳପୁରଠାରେ ଆୟୋଜିତ ଏକ ଶିବିରରେ ବୈଜ୍ଞାନିକ ପଦ୍ଧତିରେ ଉଦ୍ୟାନ କୃଷି କରିବା ପାଇଁ କ୍ଷୀରୋଦ ପ୍ରଶିକ୍ଷଣ ନେଇଥିଲେ । ବର୍ତ୍ତମାନ ସେ ବର୍ଷର ସମସ୍ତ ତିନି ଋତୁ ଖରିଫ, ରବି ଓ ଗ୍ରୀଷ୍ମକାଳୀନ ଚାଷ କରୁଛନ୍ତି । ସେ ଭେଣ୍ଡି, କଲରା, କାକୁଡ଼ି, ଜହ୍ନି ଏବଂ ବାଇଗଣ ଚାଷ କରୁଛନ୍ତି । ବାଇଗଣ ଚାଷରୁ ସେ ମାସିକ ପ୍ରାୟ ୬୦ ହଜାର ଟଙ୍କା ଏବଂ ସିଜିନ ଅନୁସାରେ ପ୍ରାୟ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ।
ସେ ଚାଷକାର୍ଯ୍ୟରେ ରସାୟନିକ ସାର ବଦଳରେ ସମ୍ପୂର୍ଣ୍ଣ ଭାବେ ଜୀବାମୃତ, ବୀଜାମୃତ ଏବଂ ହାଣ୍ଡିଖତ ଭଳି ପ୍ରାକୃତିକ ଜୈବିକ ସାର ପ୍ରୟୋଗ କରୁଛନ୍ତି । ଯାହାଫଳରେ ମାଟିର ଉର୍ବରତା ବୃଦ୍ଧି ପାଇବା ସହ ଫସଲର ଉତ୍ପାଦନ ବଢ଼ୁଛି ।
ସାପ୍ତାହିକ ହାଟରେ ସିଧାସଳଖ ଗ୍ରାହକମାନଙ୍କୁ ପନିପରିବା ବିକ୍ରି କରୁଥିବାରୁ ଫସଲର ଉଚିତ ମୂଲ୍ୟ ମଧ୍ୟ ପାଉଛନ୍ତି । ଆଖପାଖ ଅଞ୍ଚଳର ବହୁ ଯୁବକ ଓ ଚାଷୀମାନେ ତାଙ୍କ ପାଖରୁ ଆଧୁନିକ ଓ ଜୈବିକ ଚାଷ ପ୍ରଣାଳୀର ପ୍ରଶିକ୍ଷଣ ନେଉଛନ୍ତି । କ୍ଷୀରୋଦଙ୍କର ଏହି ସଫଳ ଯାତ୍ରା ପ୍ରମାଣିତ କରୁଛି ଯେ, ଉପଯୁକ୍ତ ଜ୍ଞାନକୌଶଳ, ବୈଷୟିକ ଶିକ୍ଷା ଏବଂ ସହାୟତା ମିଳିଲେ ଗ୍ରାମୀଣ ଅଞ୍ଚଳର ଯୁବପିଢ଼ି କୃଷି ମାଧ୍ୟମରେ ସ୍ୱାବଲମ୍ବୀ ହୋଇପାରିବେ ।




