ବ୍ରାହ୍ମଣୀନଦୀରେ ବୁଡ଼ି ୨ନିଖୋଜ ୧ମୃତ
଼ତାଳଚେର, ୦୮/୦୬ ଆଜି ପ୍ରାୟ ଦିନ ୧ଘଟିକା ସମୟରେ ତାଳଚେର ହାଣ୍ଡିଧୂଆଁ ଷ୍ଟେସନ ଅଂଚଳରୁ ପ୍ରାୟ ୮ଜଣ ଯୁବକ ୪ଟି ବାଇକରେ ବ୍ରାହ୍ମଣୀନଦୀ କଲମ୍ବୁରୀ ତୁଠକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ସମୟରେ ଜଣଙ୍କର ଗୋଡ଼ ଖସିିଯିବାରୁ ତାକୁ ରକ୍ଷା କରିବାକୁ ଯାଇ ଆଉ ୨ଜଣ ଯୁବକ ନଦୀରେ ଭାସି ଯାଇଥିଲେ । ଏହି ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଂଚଳବାସୀ, ତାଳଚେର ଟାଉନ ପୋଲିସ୍, ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପଂହଚି ଖୋଜାଖୋଜି କରିବାପରେ ସ୍ଥାନୀୟ ଯୁବକଙ୍କ ସହାୟତାରେ ନଦୀରୁ ଗଣେଶ ଗୋଚ୍ଛାୟତ (୧୬)ଙ୍କୁ ଉଦ୍ଧାର କରିଥିଲେ । ତାଙ୍କୁ ତୁରନ୍ତ ସ୍ଥାନୀୟ ମଣ୍ଡାପାଳ ଚିିକତ୍ସାଳୟକୁ ନିଆଯିବାପରେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସେଥି ମଧ୍ୟରୁ ୨ଜଣ ଶକ୍ତି ସାହୁ (୧୫), ପ୍ରିନ୍ସି ଲୋହାର (୧୮) ଏବେବି ନିଖୋଜ ଅଛନ୍ତି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ତେବେ ଅଗ୍ନିଶମ ବାହିନୀ ଓ ପୋଲିସ୍ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ ତାଳଚେର ଏସଡ଼ିପିଓ ଉପସ୍ଥିତ ଅଛନ୍ତି । ଉକ୍ତ ଯୁବକମାନଙ୍କୁ ଉଦ୍ଧାର କରାଯିବାନେଇ ସମସ୍ତ ଉତ୍ସ ଗୁଡ଼ିକ ନିୟୋଜିତ କରାଯାଇଛି ବୋଲି ପୋଲିସ୍ କହିଛି । ତେବେ ସେଠାରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହେବାସହ ଯୁବକମାନଙ୍କର ପରିବାର ଲୋକ ଉପସ୍ଥିତ ଥିବା ଜଣାପଡ଼ିଛି ।



