ପି.ଏମ୍. କିଷାନ ଉତ୍ସବ ଦିବସ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ । ଜିଲ୍ଲାର ୧ ଲକ୍ଷ ୪ ହଜାର ୬୬୨ ଜଣ କୃଷକଙ୍କୁ ୨୩ ତମ କିସ୍ତି ପ୍ରଦାନ

ଢେଙ୍କାନାଳ, ୨୦/୦୬ : ପି.ଏମ. କିଷାନ ଉତ୍ସବ ଦିବସ ଉପଲକ୍ଷେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ୍ ଠାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପି.ଏମ୍ କିଷାନ ଉତ୍ସବ ଦିବସ ପାଳନ ଅବସରରେ ପଶ୍ଚିମ ବଙ୍ଗ, ହୁଗୁଳିର ତାରକେଶ୍ଵର ଠାରେ ଆୟୋଜିତ ଉତ୍ସବ ସ୍ଥଳୀରୁ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ୩୪.୬ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀ ଭାଇ ଭଉଣୀ ମାନଙ୍କୁ ପି ଏମ୍ କିଷାନ ସମ୍ମାନନିଧି ଯୋଜନାରେ ୨ ହଜାର ଟଙ୍କା ଲେଖାଏଁ ୨୩ ତମ କିସ୍ତି ଡ଼ି. ବି. ଟି. ମାଧ୍ୟମରେ ପ୍ରଦାନ କରିଛନ୍ତି । ଏଥିରେ ଜିଲାର ୧ଲକ୍ଷ ୪ ହଜାର ୬୬୨ ଜଣ କୃଷକ ଭାଇ ଭଉଣୀ ଏହି କିସ୍ତି ଅର୍ଥରାଶି ପାଇଛନ୍ତି । ଅପରାହ୍ନରେ ଆୟୋଜିତ ଉତ୍ସବରେ ଜିଲା ପରିଷଦର ଅଧକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର ସହିତ ପ୍ରାକୃତିକ ଉପାୟରେ ଜୈବ କୃଷି ପ୍ରତି ଆକୃଷ୍ଟ ହେବାକୁ ଆହ୍ବାନ ଦେଇଥିଲେ । ଏହା ଦ୍ୱାରା ଆମ ସମସ୍ତଙ୍କର ସ୍ୱାସ୍ଥ୍ୟ ଓ ସାମାଜିକ ସ୍ତରରେ ଉନ୍ନତି ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଶ୍ୱନାଥ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସାଂସଦଙ୍କ ପ୍ରତିନିଧି ଶ୍ରୀ ନରେଶ ଚ଼ନ୍ଦ୍ର ମହାପାତ୍ର, ଜିଲ୍ଲା କୃଷକ ମୋର୍ଚ୍ଚାର ସଂପାଦକ ଶ୍ରୀ ଅରୁଣ କୁମାର ନାୟକ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀ ବିମଳେନ୍ଦୁ ମହାନ୍ତି, ଉଦ୍ୟାନ କୃଷିର ଉପ-ନିର୍ଦ୍ଦେଶକ ଶ୍ରୀ ଦେବବ୍ରତ ରାଉତ୍ ରାୟ, ସମବାୟ ସମିତି ଉପ-ନିବନ୍ଧକ ଶ୍ରୀ ଉମା ଶଙ୍କର ଦାସ, ଜଳ ବିଭାଜିକାର ପି.ଡ଼ି. ଶ୍ରୀ ସନତ କୁମାର ନାୟକ, ମୁଖ୍ୟ ପ୍ରାଣୀ ସଂପଦ ଅଧିକାରୀ ଶ୍ରୀ ପ୍ରଭାସ ଚ଼ନ୍ଦ୍ର ବେହେରା, ଫାଉଣ୍ଡେସନ୍ ଅଫ୍ ଇକୋଲୋଜିକାଲ ସିକ୍ୟୁରିଟିର ଡିଷ୍ଟ୍ରିକ୍ଟ କୋଡ଼ିନେଟର ଶ୍ରୀ ପ୍ରଣବ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ସମସ୍ତଙ୍କୁ ସ୍ୱାଗତ ଜଣାଇ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଜୈବିକ କୃଷିର ମୂଳ ଧାରଣା ଓ ଏହାର ଗୁରୁତ୍ଵ, ମୃତ୍ତିକା ସ୍ଵାସ୍ଥ୍ୟ ପରିଚାଳନା, ଜୈବ ସାର ଓ ଜୈବ କୀଟନାଶକର ବ୍ୟବହାର, ପ୍ରାକୃତିକ ଉପାୟରେ ଚାଷ କାର୍ଯ୍ୟ ପ୍ରଣାଳୀ ଓ ଉତ୍ପାଦନ ବୃଦ୍ଧି ଏବଂ ବଜାର ସୁଯୋଗ ଦ୍ୱାରା ଉପାର୍ଜନ ବୃଦ୍ଧି ସଂପର୍କରେ ଆଲୋକପାତ କରିଥିଲେ । ପ୍ରାକୃତିକ ପ୍ରଣାଳୀରେ ଜୈବ କୃଷି କାର୍ଯ୍ୟ କଲେ ଉତ୍ପାଦନ ଖର୍ଚ୍ଚ ୭୦ % କମ୍ ହୋଇଥାଏ । କୃଷି ଉତ୍ପାଦ ସ୍ୱାସ୍ଥ୍ୟକର ଏବଂ ଅଧିକ ସ୍ଵାଦଯୁକ୍ତ ହୋଇଥାଏ । ଅଧିକ ରାସାୟନିକ ସାର ବ୍ୟବହାର ଦ୍ୱାରା ମାଟିର ଉର୍ବରତା ନଷ୍ଟ ହୋଇଯାଏ ଏବଂ ପରିବେଷ ନଷ୍ଟ ହୋଇଥାଏ । ଜୈବ ସାର ପ୍ରୟୋଗ ଫଳରେ ମାଟିରେ ଅଣୁଜୀବଙ୍କ ବୃଦ୍ଧି ଘଟିଥାଏ ଏବଂ ମାଟିର ଉର୍ବରତା ବଢ଼ିଥାଏ । ଗୋବର, ଗୋ-ମୂତ୍ର ଓ ଅନ୍ୟାନ୍ୟ ଜୈବ ପଦାର୍ଥ ପ୍ରାୟୋଗ ଦ୍ଵାରା ମୃତ୍ତିକାର ସ୍ୱାସ୍ଥ୍ୟ ବୃଦ୍ଧି ପାଇଥାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଫାର୍ମ ପଣ୍ଡ ଦ୍ୱାରା ଜଳସେଚ଼ନ ସହିତ ଜଳସ୍ତର ବୃଦ୍ଧି କରାଯାଇ ପାରିବ ଏଣୁ ଏହାର ନିର୍ମାଣ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି । କାମଧେନୁ ଯୋଜନାରେ ୭୦ % ସବ୍ସିଡ ମିଳୁଥିବାରୁ ଏହାର ସୁଯୋଗ ନେବା ଗୋପାଳନ ପାଇଁ ପରାମର୍ଶ ଦେଇଛନ୍ତି । ଏହା ଫଳରେ ଆମେ କ୍ଷୀର ପାଇବା ସହ ଜୈବ ସାର ମାଗଣାରେ ପାଇପାରିବା ବୋଲି କହିଥିଲେ । ନିଜ ଜମି ମାଟିକୁ ମାଗଣାରେ ପରୀକ୍ଷା କରାଇ ବିହନ ବିଶୋଧନ କରି ଜୈବ ସାର ବ୍ୟବହାର କରି ଚାଷ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି । ଜୈବ କୃଷି ଉତ୍ପାଦ ସ୍ୱାସ୍ଥ୍ୟ ପ୍ରଦାୟକ ଓ ଆୟୁଷ ବୃଦ୍ଧିରେ ସହାୟକ ହୋଇଥାଏ ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି । ଏହି ଅବସରରେ ଜିଲ୍ଲାରେ ପ୍ରାକୃତିକ ଜୈବ କୃଷି କାର୍ଯ୍ୟ କରି ଅନନ୍ୟ ସଫଳତା ହାସଲ କରିଥିବା କୃଷକ ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ବରିଷ୍ଠ ବୈଜ୍ଞାନିକ ଶ୍ରୀ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।




