ଆପତ୍ତି ପରେ ହ୍ୱାଟସଆପ୍ ର ସ୍ପଷ୍ଟୀକରଣ!। ହ୍ୱାଟସଆପ୍ ‘ୟୁଜରନେମ୍’ ଫିଚର ଉପରେ କେନ୍ଦ୍ର ସରକାରଙ୍କ ନୋଟିସ୍ ପରେ ଜବାବ ରଖିଲା ମେଟା। ଫ୍ରଡ୍ ଏବଂ ନକଲି ଆକାଉଣ୍ଟ ରୋକିବାକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ହ୍ୱାଟସଆପ୍ ର ଆଗାମୀ ‘ୟୁଜରନେମ୍’ ଫିଚରକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋଟିସ୍ ଜାରି କରାଯିବା ପରେ ଏବେ ମେଟା ନିଜର ପକ୍ଷ ରଖିଛି ।
ଫୋନ୍ ନମ୍ବର ବଦଳରେ ୟୁଜରନେମ୍ ବ୍ୟବହାର କରିବା ଦ୍ୱାରା ଅନଲାଇନ୍ ଠକେଇ, ଫିସିଂ, ‘ଡିଜିଟାଲ୍ ଆରେଷ୍ଟ’ ଏବଂ ନକଲି ଆକାଉଣ୍ଟ ଜରିଆରେ ସ୍କାମ୍ ବଢ଼ିପାରେ ବୋଲି ସରକାରଙ୍କ ନୋଟିସରେ ଆଶଙ୍କା ପ୍ରକାଶ କରାଯାଇଥିଲା । ସରକାର ଏହି ଫିଚରର ରୋଲ୍-ଆଉଟ୍ ଉପରେ ରୋକ୍ ଲଗାଇବା ସହ ୩ ଦିନ ମଧ୍ୟରେ ସ୍ପଷ୍ଟୀକରଣ ମାଗିଥିଲେ। ଏହାର ଜବାବରେ ହ୍ୱାଟସ୍ ଆପ୍ ର ଜଣେ ପ୍ରବକ୍ତା କହିଛନ୍ତି , କମ୍ପାନୀ ୟୁଜରମାନଙ୍କ ସୁରକ୍ଷା ପାଇଁ ପୂର୍ବରୁ ହିଁ ଅନେକ ପ୍ରକାରର କଡ଼ା ସୁରକ୍ଷା ବ୍ୟବସ୍ଥା ବା ‘ମଲ୍ଟିପଲ୍ ଲେୟାର୍ସ ଅଫ୍ ଡିଫେନ୍ସ’ ପ୍ରସ୍ତୁତ କରିସାରିଛି। ଏହି ଫିଚର ଏବେ ସମ୍ପୂର୍ଣ୍ଣ ଭାବେ ଲାଇଭ୍ ହୋଇନାହିଁ । ଚଳିତ ବର୍ଷ ଶେଷ ଆଡ଼କୁ ଏହାକୁ ଧୀରେ ଧୀରେ ଅଣାଯିବ ।
ଏହାସହ ପ୍ରସିଦ୍ଧ ବ୍ୟକ୍ତି, ସରକାରୀ ସଂସ୍ଥା, ସେଲିବ୍ରିଟି ଏବଂ ଭେରିଫାଏଡ୍ ମେଟା ଆକାଉଣ୍ଟଗୁଡ଼ିକର ନାଁକୁ ପୂର୍ବରୁ ହିଁ ଲକ୍ ବା ହୋଲ୍ଡ କରି ରଖାଯାଇଛି। ଯେପରି କେହି ନକଲି ଆକାଉଣ୍ଟ ଖୋଲି ଲୋକଙ୍କୁ ଠକି ପାରିବେ ନାହିଁ। ଏପରିକି ଏହି ନାଁଗୁଡ଼ିକ ସହ ମିଳୁଥିବା ଅନ୍ୟ ନକଲି ଭାରିଏଣ୍ଟଗୁଡ଼ିକୁ ମଧ୍ୟ ବ୍ଲକ୍ କରାଯାଇଛି। ୟୁଜରନେମ୍ ଆସିଲେ ମଧ୍ୟ ହ୍ୱାଟସ୍ ଆପ୍ ଆକାଉଣ୍ଟ ବ୍ୟବହାର କରିବା ପାଇଁ ଫୋନ୍ ନମ୍ବର ବାଧ୍ୟତାମୂଳକ ରହିବ। ଏହା ଏକ ଅତିରିକ୍ତ ପ୍ରାଇଭେସି ଲେୟାର୍। ସମ୍ପୂର୍ଣ୍ଣ ବିକଳ୍ପ ନୁହେଁ। ହ୍ୱାଟସଆପ୍ ରେ କୌଣସି ଓପନ୍ ଡିରେକ୍ଟୋରୀ ବା ସର୍ଚ୍ଚ ଲିଷ୍ଟ ରହିବ ନାହିଁ। କୌଣସି ଅଜଣା ବ୍ୟକ୍ତି ଯଦି ମେସେଜ୍ କରିବାକୁ ଚାହାଁନ୍ତି, ତେବେ ତାଙ୍କୁ ସଠିକ୍ ୟୁଜରନେମ୍ ଜାଣିବାକୁ ପଡ଼ିବ। ବାରମ୍ବାର ନାଁ ଅନୁମାନ କରି ମେସେଜ୍ କରିବାକୁ ଚେଷ୍ଟା କଲେ ସିଷ୍ଟମ୍ ତାକୁ ବ୍ଲକ୍ କରିଦେବ। କୌଣସି ଗୋଟିଏ ଆକାଉଣ୍ଟରୁ କେତେ ଜଣ ନୂଆ ଲୋକଙ୍କୁ ମେସେଜ୍ କରାଯାଇପାରିବ ତାହାର ସୀମା ରହିବ। ଏହାସହ ନକଲି ଆକ୍ଟିଭିଟିକୁ ଚିହ୍ନଟ କରି ସେଗୁଡ଼ିକୁ ହଟାଇବା ପାଇଁ ଅଟୋମେଟେଡ୍ ସିଷ୍ଟମ୍ କାମ କରିବ। ଯଦି କେହି ପ୍ରଥମ ଥର ପାଇଁ ୟୁଜରନେମ୍ ଜରିଆରେ ଆପଣଙ୍କୁ ହ୍ୱାଟସଆପ୍ ରେ ମେସେଜ୍ ପଠାଉଛନ୍ତି ତେବେ ଚାଟ୍ ବକ୍ସ ଖୋଲିବା ମାତ୍ରେ ହ୍ୱାଟସ୍ ଆପ୍ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଖାଇବ। ସେହି ଆକାଉଣ୍ଟଟି ଏକଦମ୍ ନୂଆ କି ? ସେ ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ଅଛନ୍ତି କି ନାହିଁ ? ଆପଣ ଦୁହିଁଙ୍କ ମଧ୍ୟରେ କୌଣସି କମନ୍ ଗ୍ରୁପ୍ ଅଛି କି ନାହିଁ ? ସେହି ବ୍ୟକ୍ତିଜଣକ ଅନ୍ୟ କୌଣସି ଦେଶର କି ନୁହେଁ ? ଏସବୁ ସୂଚନା ସାମ୍ନାକୁ ଆସିବ । ଏହା ଦେଖିବା ପରେ ଚାଟିଂ କରିବେ କି ଆକାଉଣ୍ଟକୁ ବ୍ଲକ କରିବେ ତାହା ୟୁଜର୍ ନିଜେ ସ୍ଥିର କରିବେ। ସରକାରଙ୍କ ସହ ସମସ୍ତ ଆଲୋଚନା ଓ ଆଶଙ୍କା ଦୂର କରିବା ପରେ ହିଁ ସୁରକ୍ଷିତ ଭାବେ ଏହି ଫିଚରକୁ ଭାରତୀୟ ବଜାରକୁ ଅଣାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-07-03_10-39-40-136-scaled.jpg)


