କଳାହାଣ୍ଡିରେ ଜିଲ୍ଲା ଜନଗଣନା ହସ୍ତପୁସ୍ତିକା (ଡିସିଏଚବି) ପ୍ରଶିକ୍ଷଣ ଅନୁଷ୍ଠିତ
ଭବାନୀପାଟଣା,(ଜାଗ୍ରତ ଭାରତ)୭ ଜୁଲାଇ: କଳାହାଣ୍ଡି ଜିଲ୍ଲା କଲେକ୍ଟରେଟ୍ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ଜନଗଣନା ହସ୍ତପୁସ୍ତିକା (District Census Handbook–DCHB) ପ୍ରସ୍ତୁତି ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଜିଲ୍ଲା ଜନଗଣନା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣରେ ଡେପୁଟି କଲେକ୍ଟର ତଥା ଡେପୁଟି ଜିଲ୍ଲା ଜନଗଣନା ଅଧିକାରୀ ଶ୍ରୀ ଲମ୍ବୋଦର ନାଏକ ଉପସ୍ଥିତ ରହି ପ୍ରଶିକ୍ଷଣର ସୁପରିଚାଳନା କରିଥିଲେ। ଜନଗଣନା ଟ୍ରେନର ପ୍ରଶିକ୍ଷକ ଶ୍ରୀ ସୌରଭ ତିୱାରୀ ଓ ଶ୍ରୀ ପମ୍ମୁ ସିଂହ ଡିସିଏଚବି ପ୍ରସ୍ତୁତିର ବିଭିନ୍ନ ବୈଷୟିକ ଓ ପ୍ରାୟୋଗିକ ଦିଗ ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।
ଏହି ପ୍ରଶିକ୍ଷଣରେ ଜିଲ୍ଲାର ସମସ୍ତ ତହସିଲଦାର-କମ୍-ଚାର୍ଜ ଜନଗଣନା ଅଧିକାରୀ, ଅତିରିକ୍ତ ତହସିଲଦାର-କମ୍-ଅତିରିକ୍ତ ଚାର୍ଜ ଜନଗଣନା ଅଧିକାରୀ, ରାଜସ୍ୱ ସୁପରଭାଇଜର, ରାଜସ୍ୱ ନିରୀକ୍ଷକ (ଆର୍.ଆଇ.), ଅମିନ, ବୈଷୟିକ ସହାୟକ ଓ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।
ପ୍ରଶିକ୍ଷଣରେ ଡିସିଏଚବିରେ ସମ୍ମିଳିତ ହେବାକୁ ଥିବା ଜିଲ୍ଲାର ଭୌଗୋଳିକ, ସାମାଜିକ, ଆର୍ଥିକ, ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ଭିତ୍ତିଭୂମି ଓ ଅନ୍ୟାନ୍ୟ ସମ୍ବଳ ସମ୍ପର୍କିତ ତଥ୍ୟର ସଠିକ୍ ସଂଗ୍ରହ, ସଂକଳନ ଓ ଯାଞ୍ଚ ପ୍ରକ୍ରିୟା ଉପରେ ବିଶେଷ ଆଲୋଚନା କରାଯାଇଥିଲା।
ବକ୍ତାମାନେ କହିଥିଲେ ଯେ, ଜିଲ୍ଲା ଜନଗଣନା ହସ୍ତପୁସ୍ତିକା କେବଳ ଏକ ପରିସଂଖ୍ୟାନ ପୁସ୍ତକ ନୁହେଁ; ଏହା ଜିଲ୍ଲାର ସାମଗ୍ରିକ ବିକାଶର ଏକ ପ୍ରମାଣିକ ଦଲିଲ। ଏଥିରେ ସଂକଳିତ ତଥ୍ୟ ଆଗାମୀ ଦଶ ବର୍ଷ ପାଇଁ ସରକାରଙ୍କ ଉନ୍ନୟନ ଯୋଜନା ପ୍ରସ୍ତୁତି, ନୀତି ନିର୍ଦ୍ଧାରଣ, ସମ୍ବଳର ସୁଚିନ୍ତିତ ବଣ୍ଟନ ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମର ସଫଳ ରୂପାୟଣରେ ଗୁରୁତ୍ୱପୂର୍ଣ୍ଣ ସହାୟକ ହେବ। ତେଣୁ ସମସ୍ତ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ନିର୍ଭୁଲ ଓ ଗୁଣାତ୍ମକ ତଥ୍ୟ ସଂଗ୍ରହ କରିବାକୁ ଆହ୍ୱାନ କରାଯାଇଥିଲା।




