ମାତ୍ର ୮ ଘଣ୍ଟାରେ ଚୋରି ମାମଲାର ପର୍ଦ୍ଦାଫାସ; ୭ ଗିରଫ, ସୁନା ଓ ନଗଦ ଟଙ୍କା ଜବତ
ତାଳଚେର: କୋଲିୟାରୀ ଥାନା ପୋଲିସ ଏକ ଚୋରି ମାମଲାର ମାତ୍ର ୮ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ କରି ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧ ଲକ୍ଷ ୪୭ ହଜାର ଟଙ୍କା ନଗଦ, ୨୧.୨୮୦ ଗ୍ରାମ ତରଳାଇଥିବା ସୁନା ଓ ଦୁଇଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ଡେରା କୋଲିୟାରୀର ବାସିନ୍ଦା ସାର୍ଥକ ସିଙ୍ଘଲଙ୍କ ଘରୁ ପ୍ରାୟ ସାଢ଼େ ୩ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି ସୁନା ବାଲା ଚୋରି ହୋଇଥିଲା। ଅଭିଯୋଗ ପାଇବା ପରେ ପୋଲିସ ସିସିଟିଭି ଫୁଟେଜ୍ ଓ ଗୁଇନ୍ଦା ସୂଚନା ଆଧାରରେ ଘରୋଇ ସହାୟକ ତୀର୍ଥ ମୁଖୀଙ୍କୁ ଧରିଥିଲା। ପଚରାଉଚରାରେ ସେ ଚୋରି ସ୍ୱୀକାର କରିବା ପରେ ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ଏହି ସଫଳ ଅଭିଯାନକୁ କୋଲିୟାରୀ ଥାନା ପୋଲିସ ଅନୁଗୋଳ ଏସ୍ପିଙ୍କ ତତ୍ତ୍ୱାବଧାନରେ ସମ୍ପନ୍ନ କରିଥିଲା।



